STORYMIRROR

Chinmayee Sahoo

Inspirational

4  

Chinmayee Sahoo

Inspirational

ରାମନାମେ ଗୁଞ୍ଜରିତ

ରାମନାମେ ଗୁଞ୍ଜରିତ

1 min
350


ରାମ ନାମେ ଗୁଞ୍ଜରିତ ଏଇ ଧରା ଧାମ

ଅପୂର୍ବ ପୁଲକ ଭରେ ରାମସୀତା ନାମ।


ଅତି ମନୋରମ ରାମଅଭିଷେକ ଛବି

ଦର୍ଶନମାତ୍ରେ ଏ ହୃଦ ପ୍ରାଣ ଯାଏ ଦ୍ରବି।


କୋଟି ପାପ ନାଶହୁଏ ରାମ ନାମ ଜପି

ସେଇ ନାମ ପ୍ରେମେ ମଗ୍ନଥାନ୍ତି ମହାକପି।


ଯେଉଁ ନାମ ଧରି ସେଇ ଅଞ୍ଜନା ଙ୍କ ସୁତ

ଲଙ୍ଘିଗଲେ ଗିରି ନଦୀ ଆଣିଲେ ପର୍ବତ।


ସେଇ ନାମ ଲେଖି ଦେଇ ପାଷାଣଟି ପରେ

ସେତୁ ବନ୍ଧ ବାନ୍ଧିଥିଲେ ଅଥଳ ସାଗରେ।


ସେଇ ନାମ ଧରି ଲଙ୍କା କରିଲେ ଦହନ

ସେଇ ନାମ ସ୍ମରି ସର୍ବ କାମ କଲେ ପୂର୍ଣ୍ଣ।


ବୀର ହନୁମାନ ଛାତି ଚିରି ଦେଲେ ଯେବେ

ରାମସୀତା ବିରାଜନ୍ତି ଦେଖିଲେ ସରବେ।


ରାମ ନାମେ ହନୁ ପ୍ରୀତ ହନୁ ନାମେ ରାମ

ସଖା ପ୍ରଭୁ ଭକ୍ତ ପଣେ ଅତି ଅନୁପମ।


ରାମ ନାମ ମହାନତା ବରଣି କେ ପାରେ

ସେ ନାମରେ ମନେ ଦିବ୍ୟ ଚେତନା ଯା'ଭରେ।


ମର୍ଯ୍ୟାଦା ପୁରୁଷୋତ୍ତମ ସେ ଶ୍ୟାମ ବଦନ

କୋଟିକାମଜିଣି ରୂପ ଶତ ସୂର୍ଯ୍ୟ ସମ।


ଅଯୋଧ୍ୟା ନୃପତି ଦଶରଥଙ୍କ ନନ୍ଦନ

କୈଶଲ୍ୟାର ଗଳାମାଳି କୈକେୟୀ ଜୀବନ।


ଭ୍ରାତୃପ୍ରେମୀ ଭକ୍ତ ପ୍ରେମୀ ଭୃତ୍ୟପ୍ରେମୀ ବନ୍ଧୁ

ଅସୀମ ସ୍ନେହ ସାଗର ସେ ଶ୍ୟାମଳ ଇନ୍ଦୁ।


ରାଜୀବ ଲୋଚନ ସ୍ମିତ ହାସ୍ୟ ଶୋଭାଧାର

ବିନମ୍ର ଅମୃତ ବୋଳା ବଚନ ମଧୁର।


କାର୍ମୁକକର ଆଜାନୁଲମ୍ବିତ ସୁନ୍ଦର

ପୀତବାସେ କଟି ଶୋହେ ଅତି ମନୋହର।


ବାମେ ସୀତା ଦକ୍ଷିଣେ ଲକ୍ଷ୍ମଣ ବିରାଜିତ

ପଦାରବିନ୍ଦ ପାଶରେ ହନୁ ଯୋଡହସ୍ତ।


ଭରତ ଶତ୍ରୁଘ୍ନ ପାଶେ ଚାମର କରନ୍ତି

 ଦେଖି ଭକ୍ତେ ତତ୍ସ୍ୱରୂପ ବିହ୍ଵଳିତ ମତି।


ଯେଉଁ ନାମ ସ୍ମରଣ ମାତ୍ରକେ ପାପ ହରେ

ସେ ନାମେ କଳି କଳ୍ମଷ ନାଶ ହେଉ ଧୀରେ।


ଚୈତ୍ର ଶୁକ୍ଳ ନବମୀ ତିଥି ଏ ପବିତ୍ର

ରାମନବମୀରେ ଘେନ ମୋର ପ୍ରଣିପାତ।


ମଙ୍ଗଳମୟ ହେଉ ହେ ପ୍ରତିଟି ଆଳୟ

ପ୍ରଭୁ ଙ୍କ ଜନ୍ମ ଉତ୍ସବେ ହେଉ ଶୋଭାମୟ।



Rate this content
Log in

Similar oriya poem from Inspirational