ରାମ ନାମ ଥରେ ଭଜରେ କୁମର
ରାମ ନାମ ଥରେ ଭଜରେ କୁମର
ରାମ ନାମ ଥରେ ଭଜରେ କୁମର
କୃଷ୍ଣ ନାମ ଥରେ ଭଜ
ଜୀବନ ଗଳପ ଅଟଇ ଅଳପ
ହରି ନାମ ଟିକେ ହେଜ l
ସଂସାର ସାଗର ଘୋର ଭୟଙ୍କର
ଜୀବନ ଜାହାଜ ଚାଲିଛି ସତ୍ୱର
ପ୍ରାଣର ସଉଦା ଧରି
ଅଶାନ୍ତ ଲହଡି କାହୁଁ ଆସେ ମାଡି
ବିଷାଦ ଦିଅଇ ଭରି l
ଆଶାର ସଳିତା ଦୁକୁ ଦୁକୁ ଜଳେ
ଚାହୁଁ ଚାହୁଁ ଆସେ ଝଡ଼
କାହାକୁ ବା ଜଣା ଜୀବନ ଜାହାଜ
କେଉଁ ଦିଗେ ନେବ ମୋଡ଼ ।
ଦିଗନ୍ତ ବିସ୍ତାରି ଏ ସଂସାର ଦରି
ନାହିଁ ଏଠି ଥଳକୂଳ
ରାମ ନାମ ଥରେ ଭଜରେ କୁମର
ହରି ନାମ ଏଠି ମୂଳ l
କୃଷ୍ଣ ନାମ ଥରେ ଭଜରେ କୁମର
ଏ ଭବୁ ହୋଇବୁ ପାର
ବିପଦ ଆପଦେ ଦୁଃଖ ପରମାଦେ
ଗୋବିନ୍ଦ ନାମଟି ସାର l
ଅନାଦି ଅନନ୍ତ ସର୍ବତ୍ର ପୂରିତ
କେତେଯେ ତାଙ୍କର ନାମ
କେବେ ସିଏ ଆଲ୍ଲା କେବେ ବୁଦ୍ଧ, ଯୀଶୁ
କେବେ କୃଷ୍ଣ କେବେ ରାମ l
ଭକତି ଅନ୍ତରେ ଗାଅରେ କୁମର
ପ୍ରଭୁଙ୍କ ନାମକୁ ପଦେ
ସଚରାଚର ସେ ବ୍ରହ୍ମାଣ୍ଡ ଈଶ୍ୱର
ରହିଛନ୍ତି ସଦା ହୃଦେ l
ସଙ୍କଟ ବେଳରେ ଜଗତର ନାଥ
ହୋଇବେରେ ତୋତେ ସାହା
ଏ ଭବ ସାଗର କି'କରିବ ତୋର
ବଢ଼ାଇ ଦେଲେ ସେ ବାହା ।
