ରାଜହଂସୀ ପାଇଁ ପଦେ
ରାଜହଂସୀ ପାଇଁ ପଦେ
ରାଜହଂସୀ ମୋତେ ସପନ ଦେଖାଇ
ଲୁଚିଗଲ ରାଜପୁଷ୍କରିଣୀରେ
ତୁମ ପୁଷ୍କରିଣୀ ମାନସରୋବର
ମୁଁ ହଜିଯାଇଛି ସୂକ୍ଷ୍ମ ସାଗରେ ।
ବିନ୍ଦୁସାଗରର ପୌରାଣିକ ଗାଥା
ମୋ' ସୂକ୍ଷ୍ମ ସାଗର ଭିନ୍ନ କାହାଣୀ
କହି ହୁଏ ନାହିଁ ସହି ବି ହୁଏନି
ଦେଇଚାଲେ ଦୁଃଖଭରା ଉଜାଣି ।
ବେଳେବେଳେ ଭାବେ ତୁମ ପୁଷ୍କରିଣୀ
ମାନସରୋବର ମର୍ତ୍ତ୍ୟ ରମଣୀ
କ୍ଷଣକେ କ୍ଷଣକେ ବାଢ଼ି ଦେଇଚାଲେ
ତା' ନିଜ ଅଙ୍କର ସୁରମ୍ୟ ଠାଣି ।
ମାନସରୋବର ମର୍ତ୍ତ୍ୟପାଇଁ ନୁହେଁ
ଜାଣିଛି ତୁମେ ବି ନୁହଁ ମାନବୀ
ମାନବୀ ରୂପରେ ଏ ମର୍ତ୍ତ୍ୟଭୂମିରେ
ଜନମ ନେଇଛ ହୋଇ ଜାହ୍ନବୀ ।
ହଜୁଛି ସିନା ମୁଁ ଖୋଜି ପାଉନାହିଁ
ମୋ' ସ୍ୱପ୍ନ ଭିତରେ ତୁମ ଛବିକୁ
ଛାଇ ବି ଦିଶୁନି , କେମିତି ଭାବିବି
ତୁମ ଛବି ନେଇ ଯିବି ଆଗକୁ ।
ବୁଝି ମୁଁ ପାରୁନି , ଭାବି ବି ପାରୁନି
କିବା ଅପରାଧ ହେଲା ମୋହର
ଜହ୍ନର କୋଳରେ ମଥା ରଖିଲେ ବି
ହୋଇ ପାରିଲାନି ଜହ୍ନ ନିଜର ।
ଭୁଲ୍ କହିଦେଲି ,ଜହ୍ନ ତ ନିଜର
ବରଂ ମୁଁ ଜହ୍ନର ନିଜର ନୁହେଁ
ସେ ସିନା କଲ୍ୟାଣୀ , ମୁଁ ଯେ ଅଭିଶପ୍ତ
ନିର୍ବାଣ ଅଗ୍ନିରେ ନିଜକୁ ଦହେ ।
ଜହ୍ନରେ କଳଙ୍କ ପବିତ୍ର ତୀର୍ଥର
ପଦଯାତ୍ରା ପାଇଁ ସୂଚନା ଦିଏ
ନୁହେଁ ସେ କଳଙ୍କ ବରଂ ପୁଣ୍ୟ ଅଙ୍କ
ଶତାବ୍ଦୀ ଶତାବ୍ଦୀ ଅମର ରହେ ।
ବେଳେବେଳେ ଭାବେ ନିର୍ବାଣ ନେବାକୁ
ସାଂସାରିକ ମୋହ ଆକର୍ଷି ରଖେ
ସଂସାରରେ ମୋର ଶରୀରଟି ସିନା
ତୁମ ଆତ୍ମା ମୋର ନୟନ ଦେଖେ ।
ଏ ନିର୍ବାଣ ଦେହେ ନାହିଁ ଯୋଗଧ୍ୟାନ
ହୁଏତ ମହାପାତକୀ ମୁଁ ଜଣେ
ତୁମେ ତ ସୁଗନ୍ଧା , ସୁରଭିରେ ଛନ୍ଦା
ତପୀ ମୁଁ ହେବି ତୁମର ସନ୍ଧାନେ ।
ଏଥିରେ ଜହ୍ନର ଦୋଷ କିଛି ନାହିଁ
ସବୁ ଦୋଷ ମୋର ଭାଗ୍ୟରେଖାର
ନିୟତି ନିୟମେ ବନ୍ଧା ସେ ଅନିନ୍ଦ୍ୟା
ନାହିଁ ତା' ପାଖରେ ବାଛବିଚାର ।