ପୂଣ୍ୟ ପବିତ୍ର ମହୋଦଧି
ପୂଣ୍ୟ ପବିତ୍ର ମହୋଦଧି


ଉତ୍କଳ ପ୍ରଦେଶ କଳାରେ ଉତ୍କର୍ଷ
ପର୍ବତ କାନନେ ଶୋଭିତ ସରସ
ରହିଛି ତହିଁରେ ପବିତ୍ର ଶ୍ରୀକ୍ଷେତ୍ର
ଜଗତ ପାଳକ ଜଗନ୍ନାଥ କ୍ଷେତ୍ର
ପତିତ ପାବନ ବାନା ନୀଳଚକ୍ରେ
ପତିତ ଜନଙ୍କୁ ଡାକଇ ତା'ଠାରେ
ତାର ଦାଣ୍ଡ ପୁଣ୍ୟ ବଡଦାଣ୍ଡ ବୋଲି
ଯା'ର ଧୂଳି ବାଲି ସେ ଶରଧା ବାଲି
ଯେଉଁ ଦାଣ୍ଡେ ବିଜେ ବରଷକେ ଥରେ
ତିନି ରଥେ ଭାଇ ଭଉଣୀ ସାଥିରେ
ରଥରେ ବାମନ କରିଣ ଦର୍ଶନ
ଲଭଇ ଭକତ ସାତଜନ୍ମ ପୁଣ୍ୟ
ହୁଏ ନାହିଁ ତା'ର ଆଉ ପୁନର୍ଜନ୍ମ
ମୋକ୍ଷ ଲାଭକରି ଧନ୍ୟ ହୁଏ ଜନ୍ମ
ତହିଁ ରହିଅଛି ଯେଉଁ ପଞ୍ଚକ୍ଷେତ୍ର
ପୁଣ୍ୟ ମହୋଦଧି ତହୁଁ ଶ୍ରେଷ୍ଠକ୍ଷେତ୍ର
ଚରଣ ଧୁଅଇ ପବିତ୍ର କ୍ଷେତ୍ରର
ସ୍ନାନେ ଧୋଇଯାଏ ସକଳ ପାପର
ପୁଣ୍ୟ ଯା' ପୟୋଧି ସିଏ ମହୋଦଧି
ଯହିଁ ଅବଗାହେ ସାଧନାରେ ସିଦ୍ଧି
ସେହି ମହୋଦଧି କୂଳେ ସ୍ବର୍ଗଦ୍ବାର
ବାଟ ଅଟେ ତାହା ସ୍ବର୍ଗକୁ ଯିବାର
ଯେଉଁଠାରେ କଲେ ଅନ୍ତିମ ସଂସ୍କାର
ନର୍କ ନ ଦେଖିଣ ଯାଏ ସ୍ବର୍ଗ ପୁର
ପୁଣ୍ୟ ମହୋଦଧି ପବିତ୍ର ଉତ୍କଳ
ସଦା ଲାଗିଥାଏ ଗହଳ ଚହଳ
ଭାରତ ବର୍ଷର ସକଳତୀର୍ଥର
ପରିଦର୍ଶନ ଶେଷେ ମହୋଦଧିର
ପୁଣ୍ୟତୋୟ ଜଳେ କରି ସାରି ସ୍ନାନ
ଦର୍ଶନ କରିଲେ ଶ୍ରୀ ଚକାନୟନ
ସାର୍ଥକ ହୁଅଇ ତୀର୍ଥର ଭ୍ରମଣ
ମିଳଇ ନରକୁ କୋଟିପୁଣ୍ୟ ଜାଣ
ଯେତେବେଳେ ସାରା ବିଶ୍ବକୁ ଘନେଇ
ଆସେ ବିପଦର ଘନ କଳାଛାଇ
ମହୋଦଧି ଦେହେ କରିଣ ଶୟନ
ଜଗତ ପାଳକ ଶ୍ରୀଚକାନୟନ
ଭାବନ୍ତି ଜଗତ ଉଦ୍ଧାର ଯୋଜନା
ଯାହା ରକ୍ଷା କରେ ତାଙ୍କରି ସର୍ଜନା
ପୁଣ୍ୟ ଉତ୍କଳ ମାତାର ପାଦଧୋଇ
ମହୋଦଧି ଉତ୍ତାଳ ତରଙ୍ଗ ଦେଇ