STORYMIRROR

Geetanjali Prusty

Inspirational Children

4  

Geetanjali Prusty

Inspirational Children

ପୂଜ୍ୟ ଗୁରୁଦେବ

ପୂଜ୍ୟ ଗୁରୁଦେବ

1 min
309


ପୂଜ୍ୟ ଗୁରୁଦେବ ଦେବତା ସମାନ

ତୁମ ପଦେ ରଖି ଲୟ

ଅତିକ୍ରମି ବାଧା ଜିଣିବି ଜଗତ

ତୁଟାଇ ମନରୁ ଭୟ ll


ତୁମ କର ସ୍ପର୍ଶେ ଦୂର ହେଲା ମୋର

ଅଜ୍ଞାନ ତମସା ଘୋର

ଦେଖାଇଲ ତୁମେ ଶୂନ୍ୟରୁ ପୂର୍ଣ୍ଣକୁ

ବ୍ରହ୍ମମୟ ଏ ସଂସାର ll


ମିଛ ଅଭିମାନ ମାୟାର ବନ୍ଧନ

ମନେ ଭରି ଅହଂକାର

ସୋପାନ ଚଢ଼ି ମୁଁ ଦେଖୁଥିଲି ସ୍ବପ୍ନ

ପଡ଼ି ଉଠି ବାରମ୍ବାର ll


ହାତ ଧରି ମୋତେ ବାଟ କଢ଼ାଇଲ

ଶିଖାଇଲ ଭଲ ମନ୍ଦ

ସତ୍ୟ ପଥେ ଚାଲି ଯଶ ଅର୍ଜିବାକୁ

ଦେଇ ଥିଲ କିଛି ଶବ୍ଦ ll


ସଂଘର୍ଷ ସୋପାନେ ସାଧନାର ପଥେ

ଭରିଲ ଉତ୍ସାହ ତୁମେ

ଶାମୁକା ଭିତରୁ ମୁକ୍ତା ସାଉଁଟିଲି

ଦୀର୍ଘ ମୋର ଅଭିଯାନେ ll


ତୁମରି ଆକଟ ଶରୀରରେ ଛାଟ

ସ୍ନେହ ବୋଳା ମଧୁ ବାଣୀ

ଭରିଲା ଜୀବନେ ଅପୂର୍ଵ ଆନନ୍ଦ

ପୂର୍ଣ୍ଣତା ଦେଲା ଆଣି ll


ତୁମରି ପଥକୁ ଅନୁସରି ଆଜି

ସମାଜେ ପାଉଛି ପୂଜା

ଜ୍ଞାନର ଆଲୋକ ବାଣ୍ଟୁଛି ଧରାରେ

ଉଡ଼ାଇ ବିଜୟ ଧ୍ବଜା ll


ଗୁରୁ ବିନା କେହି କୌଣସି କ୍ଷେତ୍ରରେ

ସଫଳ ହୋଇନି କେବେ

ଗୁରୁ ନିନ୍ଦା କରି ପାଇନି କେ ମୁକ୍ତି

ତରି ନାହିଁ ଏହି ଭବେ ll


ପୂଜ୍ୟ ଗୁରୁବର ଘେନ ବାର ବାର

ଭକ୍ତିପୂତ ମୋ ପ୍ରଣତି

ତବ ଆଶିଷ କୁ ଚାହିଁ ଥିବି ସଦା

କର ଯୋଡ଼ି ମଥା ପାତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational