ପୁସ୍ତକର କାଲି ଓ ଆଜି
ପୁସ୍ତକର କାଲି ଓ ଆଜି
ସ୍ମୃତି ଥିଲ ତୁମେ ସାଧନା କଠୋର
ଅନୁପମ ଦିବ୍ୟ ଜ୍ଞାନ
ପୋଥି ହୋଇ ତୁମେ ସୃଜିଲ ପାଣ୍ଡିତ୍ୟ
ବିଦ୍ୟା ଧୂରୀଣ ବ୍ରାହ୍ମଣ ।
ପୁସ୍ତକ ରୂପରେ ବିସ୍ତରିଲ କାୟା
ସୁଲଭ ସରଳ ଜ୍ଞାନ
ହେଲା ବୋଧଗମ୍ୟ ବେଦ ବୁଦ୍ଧି ବିଦ୍ୟା
ଟୀକା ଗ୍ରନ୍ଥ ବ୍ୟାକରଣ ।
ଅତି ଆଧୁନିକ ଯୁଗରେ ତୁମର
ବଦଳିଛି କାୟାକଳ୍ପ
ଅଙ୍ଗୁଳି ଅଗ୍ରର ଚାଳନା ମାତ୍ରକେ
ହୋଇଯାଏ ଜ୍ଞାନ ପ୍ରାପ୍ତ ।
ଜ୍ଞାନ ବ୍ୟାପକତା ଉନ୍ମୁକ୍ତ ପ୍ରକାଶ
ସମସ୍ୟା ବା ସମାଧାନ
ହୁଏ ନାହିଁ ବୁଝି କେତେ ହାନି ଲାଭ
ଅବକ୍ଷୟ ହୁଏ ଗୁଣ ।
ବିଦ୍ୟା ବଦଳରେ ଅବିଦ୍ୟା ର ହୁଏ
ଅଧିକ ଅପପ୍ରୟୋଗ
ଯନ୍ତ୍ର ତୁଲ୍ୟ ନର ଅନ୍ତଃସାର ଶୂନ୍ୟ
ଅଭାବ ସ୍ନେହ ସୋହାଗ ।
ବଢି ବଢି ଯାଏ ହିଂସା ଇର୍ଷା ଦ୍ୱେଷ
ମିଥ୍ୟା ମାୟା ଅହଙ୍କାର
ତୁଟି ଯାଉଅଛି ମନର ବିଶ୍ୱାସ
ଅସ୍ଥିର ଜ୍ଞାନ ଈଶ୍ୱର ।
ପୁସ୍ତକ ଦିବସେ ହେଉ ସୁଚିନ୍ତନ
ସମୁଜ୍ଜ୍ୱଳ ହେଉ ସ୍ମୃତି
ମୂଳ ଲକ୍ଷ୍ୟ ଠାରୁ ଦୂରେଇ ନ ଯାଉ
ପାଠ୍ୟ ପୁସ୍ତକ ପଦ୍ଧତି ।
