ପୁଷି ମାଉସୀର ଇଲିଶି ଖିଆ
ପୁଷି ମାଉସୀର ଇଲିଶି ଖିଆ
ମନଦେଇକରି କାନ ଡେରିଥା
କହୁଛି ମୁଁ ଏକ ବଢ଼ିଆ କଥା
ଗାଆଁ ଗଡ଼ିଆରୁ ମାଛ ମାରିବାକୁ
ଲୋକମାନେ ବସି ହୋଇଲେ କଥା ।
ଲୁଚି ଶୁଣୁଥିଲା ପୁଷି ମାଉସୀ
ମାଛ ମରା ଦିନ ସଅଳ ଆସି
ପୋଖରୀ ହୁଡ଼ାରେ ଛପିକି ବସିଲା
ଝାମ୍ପି ନେଇଗଲା ବଡ଼ ଇଲିଶି ।
ପାଟିରୁ ତାହାର ଲାଳ ବୋହିଲା
ଇଲିଶିକୁ ନେଇ ଘରକୁ ଗଲା
ଏତେ ଦିନ ପରେ ମାଛଟେ ପାଇଛି
ଝୋଳ କରିବାକୁ ମନେ ଭାବିଲା ।
ତରତର କରି ମାଛକୁ ଥୋଇ
ନଈକୁ ମାଉସୀ ଗଲା ଗାଧୋଇ
ଚଞ୍ଚଳ ଫେରିଲେ ବେସର ସେ ବାଟି
ତିଅଣ ରାନ୍ଧିବ ଚୁଲି ଲଗାଇ ।
କାହିଁ ଛକିଥିଲା ଡାମରା କାଉ
ଟିକିଏ ବିଳମ୍ବ ନକରି ଆଉ
ଗୋଟା ଇଲିଶିକୁ ଝାମ୍ପି ନେଇଗଲା
ମାଉସୀକୁ ଆମ ସାଧିଲା ଦାଉ ।
ଘରକୁ ଫେରିଲା ଯେବେ ମାଉସୀ
ଦେଖିଲା ନାହିଁ ତା' ବଡ଼ ଇଲିଶି
ଇଆଡ଼େ ସିଆଡ଼େ ଖୋଜିକି ଦେଖିଲା
ଡାମରା ଖାଉଛି ଗଛରେ ବସି ।
ମନେ ମନେ ସିଏ ହୋଇଲା କହି
ଚୋରି କଲା ଫଳ ପାଇଲି ମୁହିଁ
ପରିଶ୍ରମ କରି ପାଇଯା' ନ ଥିଲି
ତା' ପାଇଁକି ଦୁଃଖ କରିବି କାହିଁ !!
