STORYMIRROR

Kulamani Sarangi

Classics

3  

Kulamani Sarangi

Classics

ପୁରୁଷୋତ୍ତମ ଦେବ

ପୁରୁଷୋତ୍ତମ ଦେବ

2 mins
8.6K


ପୁରୁଷୋତ୍ତମ ଦେବ

(6)

-----------------------

ସ୍ୱାର୍ଥର ଦୁର୍ଦ୍ଦମ ଅଶ୍ୱ ଆରୋହଣ

କରି ହମ୍ବିର କୁମାର,*

ବାହାମନି ରାଜ୍ୟ ସୁଲତାନ ଦର-

ବାରେ ହୋଇଲେ ହାଜର।


ଭୁଲିଗଲେ ନିଜ ଆତ୍ମସନମାନ

ଅବା ଜନ୍ମଭୂମି ମାନ,

ଉତ୍କଳର ଚିରଶତ୍ରୁ ଆଗେ ଯାଇ

କଲେ ସନ୍ଧି ପ୍ରସ୍ତାବନ।


ହମ୍ବିରଙ୍କୁ ଦେଖି ହୋଇ ମହାସୁଖୀ

ବାହାମନି ସୁଲତାନ,

ବୋଇଲେ "ମୋ ସହଯୋଗ ନେଇ କର

ଗଜପତି ଦର୍ପ ଟୂର୍ଣ୍ଣ।


ଯୁଦ୍ଧ ଅବସାନେ ଆମ୍ଭର ଅଧୀନେ

କର ଉତ୍କଳ ଶାସନ,

ହୋଇବ କରଦ ରାଜ୍ୟ, କରୁଥିବ

ପ୍ରତିବର୍ଷ କରଦାନ।


କଣ୍ଟକେ କଣ୍ଟକ ଉତ୍ପାଟନ ପାଇଁ

ସମ୍ମତ ହେଲେ ହମ୍ବିର,

ଉତ୍କଳ ଆକାଶେ ମାଡିଆସୁଥିଲା

ପରାଧୀନତା ଅନ୍ଧାର।


ଯେଉଁ ହମ୍ବିରଙ୍କ ସିଂହରଡି ଶୁଣି

ଅରାତିର ଛାତି ଥରେ,

ଉଭା ହୋଇଥିଲେ ଶୃଗାଳ ସଦୃଶ

ବାହାମନି ଦରବାରେ।


ସମୟ ସତେ କି ମହା ବଳବାନ,

ଦେଖାଏ କେତେ ଭେଳିକି !

ଆଜି ଯେ ବସିଛି ସ୍ୱର୍ଗ ନିଶ୍ରେଣୀରେ

କାଲି ସେ ଚାଟେ ଧୂଳିକି।


ଏଣେ ଗଜପତି # ମାନସ ଚନ୍ଦ୍ରମା

ହେଲା ଚିନ୍ତା ରାହୁ ଗ୍ରସ୍ତ,

ଛାଉଣିରେ ବସି ନିମିଳିତ ନେତ୍ରେ

ଭାବୁଥିଲେ ନରନାଥ।


"ମୋହର ଅରାତି ଅଟନ୍ତି ମୋ ଜ୍ଞାତି

ନିଜ ଭାଇ ବନ୍ଧୁ ଜନ,

ବାଡ ଯେବେ ନିଜେ ଫସଲ ଖାଇବ

କେ କରିବ ତା ରକ୍ଷଣ?


ଭାଇ ଶତ୍ରୁ ହୋଇ ଶତ୍ରୁ ପାଶେ ଯାଇ

ଆଣ୍ଠୁ ଭାଙ୍ଗି ଭିକ୍ଷା ମାଗେ,

ଏଥୁଁବଳି ଘୋର ଲଜ୍ୟା ଏ ସଂସାରେ

ଅଛିବୋଲି ତ ନଲାଗେ।


ପଡିଛି ଉତ୍କଳ ଭାଗ୍ଯର ଚନ୍ଦ୍ରମା

ଗୃହରାହୁ କବଳରେ,

ପ୍ରଭୁ ଜଗନ୍ନାଥ ତୁମ୍ଭେ ନଶୁଣିଲେ

କହିବି କାହା ଆଗରେ?


ତୁମ୍ଭ ନିଜଟେକ ତୁମ୍ଭେ ନିଜେ ରଖ

ମୁଁ ଛାର ତୁମ୍ଭର ଭୃତ୍ୟ,

ଉତ୍କଳ ଗୌରବ ରବି ଅସ୍ତପ୍ରାୟ

ହେଲାଣି ମୋତେ ପ୍ରତୀତ।"


ବିଚାରନ୍ତି ମନେ ଥିଲା ଶୀର୍ଷ ସ୍ଥାନେ

କାଲି ଭାଗ୍ୟ ଉତ୍କଳର,

ଉତ୍ତରରେ ଗଂଗା ଦକ୍ଷିଣେ କାବେରୀ

ସୀମାନ୍ତ ଥିଲା ଏହାର।


ବାହାମନି ସୁଲତାନ ସଙ୍ଗେ ରେଡ୍ଡି

ରାଜବଂଶ ଦର୍ପ ଦଳି,

ବିଜୟନଗର ସାମ୍ରାଜ୍ୟର ଗର୍ବ

ପିତା କରିଥିଲେ ଧୂଳି ।


ସେ ଉତ୍କଳ ଆଜି ଭ୍ରାତୃ କନ୍ଦଳରେ

ହେଉଅଛି ଛାରଖାର,

ଧନ୍ୟରେ ବିଧାତା କ୍ରୀଡନକ ତୋର

ହାତେ ଭାଗ୍ୟ ମନୁଷ୍ୟର ।


କି ଲାଭ ଏପରି ଯୁଦ୍ଧକରି, ପ୍ରିୟ-

ଜନ ମୃତ୍ୟୁ ଯହିଁ ସାର ?

ଶ୍ରେୟ ତାହାଠାରୁ ବଞ୍ଚିବା ଜୀବନେ

ଘେନି ମନ୍ତ୍ର ସନ୍ୟାସର।


ଦେଇ ରାଜଦଣ୍ଡ ହମ୍ବିରଙ୍କୁ,ହସ୍ତେ

ଦଣ୍ଡ କମଣ୍ଡଳୁ ଧରି,

ଗୈରିକ ବସନେ ତପ ଘୋରବନେ

ଶ୍ରେୟ ରାଜ୍ୟ ତ୍ୟାଗକରି"


ବିଚାରୁ ବିଚାରୁ ଏମନ୍ତ, ନୃପଙ୍କୁ

ଗାଢନିଦ୍ରା ଦେଲା ଘାରି,

ସ୍ୱପନେ ଦେଖିଲେ ଜଗନ୍ନାଥ ଉଭା

ମନୋରମ ରୂପଧରି।


କହୁଛନ୍ତି ପ୍ରଭୁ " କିପାଁ ଏତେ ଭାଳୁ

ତୋ ବିହିତ କର୍ମ କର,

ଅଭୀଷ୍ଟ ଫଳ ଯେ ନିଶ୍ଚୟ ମିଳିବ

ତୋର କର୍ତ୍ତବ୍ୟ କର୍ମର।


କ୍ଷତ୍ରିୟର ଧର୍ମ ଅଟେ ଯୁଦ୍ଧ କର୍ମ

ପରଜା ରକ୍ଷଣ ପାଇଁ,

ସେ କର୍ତ୍ତବ୍ୟ ପଥୁ ବିଚଳିତ କେବେ

ହୁଅନାହିଁ ନରସାଇଁ।


ସେ କଲ୍ୟାଣକାରୀ କର୍ତ୍ତବ୍ୟ ପାଳନେ

ନକର ଶଙ୍କା ବା ଭୟ,

କ୍ଷତ୍ରିୟ ନିମନ୍ତେ ପରଜା ରକ୍ଷଣ-

ଠାରୁ କିଛି ନାହିଁ ଶ୍ରେୟ।


ଭ୍ରାତୃପ୍ରେମ ନେଇ ଜନ୍ମଭୂମି ପାଇଁ

ଯୁଦ୍ଧ ନକରିଲେ ବୀର,

ହୋଇ ଜ୍ଞାନହୀନ,କର୍ତ୍ତବ୍ୟ ବିହୀନ

ପାପଭୋଗ ହେବ ସାର।


ଅକଳଙ୍କ ତୋର କୀର୍ତ୍ତି ଚନ୍ଦ୍ରମାରେ

ଲାଗିବ ସିନା କଳଙ୍କ,

ସଂସାର ଗାଇବ ତୋର ଅପକୀର୍ତ୍ତି

ମୃତ୍ୟୁ ସମ ହେବ ଦୁଃଖ।


କାପୁରୁଷ ବୋଲି କହିବେଟି ତୋତେ

ରଥି ମହାରଥିଗଣ,

ଯା ଦୃଷ୍ଟିରେ ତୁହି ଥିଲୁ ବୀର୍ଯ୍ୟବନ୍ତ

କରିବେ ସେ ହେୟଜ୍ଞାନ ।


ତୋର ଶତୃଗଣ ତୋର ସାମର୍ଥ୍ୟକୁ

ନିନ୍ଦାକରି ଦେବେ ଗାଳି,

କହିବେ ବଚନ ଅତି ଘୃଣ୍ୟମାନ

ଦୁଃଖଭାର ଯିବ ବଳି।


"କପିଳେନ୍ଦ୍ର ଦେବ ଶାର୍ଦ୍ଦୁଳ ହେଲେ ଏ

ଅଟେ ଶୃଗାଳ ସମାନ"

ଏପରି କହିଲେ ଜଗତେ କି ତୋର

ବଢିବ ହେ ନୃପ ମାନ ?


ସନାତନ ଧର୍ମ ରକ୍ଷାଅର୍ଥେ ତୁହି

ହୋଇଅଛୁ ଗଜପତି,

ଯବନକୁ ଯେବେ ଟେକିଦେବୁ ରାଜ୍ୟ

ପ୍ରଜା ଭୋଗିବେ ଦୁର୍ଗତି।


ହମ୍ବିର କୁମାର ହାତ ମିଳାଇଛି

ଯବନ ରାଜା ସହିତ,

ନିଜ ଭ୍ରାତା ମଣି ରଣ ନକରିଲେ

ଉତ୍କଳ ହେବ ସମାପ୍ତ ।


ଯୁଦ୍ଧେ ଯେବେ ତୁହି ହରାଇବୁ ପ୍ରାଣ

ପାଇବୁ ସ୍ୱର୍ଗରେ ସ୍ଥାନ,

ଯୁଦ୍ଧେ ଜୟହେଲେ ଅଖଣ୍ଡ ସାମ୍ରାଜ୍ୟ

ଭୋଗିବୁ ତୁହି ନନ୍ଦନ।"


ନିଦ୍ରା ଭଙ୍ଗହେଲା ନବ ଉଦ୍ଦିପନା

କିଏ ଦେଲା ଦେହେ ଭରି,

ନୂତନ ଆଲୋକ ପଥ ଅନୁସରି

ବାହାରିଲେ ଦଣ୍ଡଧାରୀ।


*ହମ୍ବିର---କପିଳେନ୍ଦ୍ର ଦେବଙ୍କର ଜ୍ୟେଷ୍ଠ ପୁତ୍ର

#ଗଜପତି --- ନୂତନ ଗଜପତି ପୁରୁଷୋତ୍ତମ ଦେବ



କ୍ରମଶଃ-----


Rate this content
Log in

Similar oriya poem from Classics