ପୁରୁଷୋତ୍ତମ ଦେବ(12)
ପୁରୁଷୋତ୍ତମ ଦେବ(12)
(ଐତିହାସିକ କାବ୍ୟାଂଶ)
---------------------------
ପୁରୁଷୋତ୍ତମଙ୍କ ରାଜଅଭିଷେକ-
ବାର୍ତ୍ତା ବନଅଗ୍ନି ପରି,
ପ୍ରସାରିତ ହେଲା,ରୂପାମ୍ବିକା ମନ
ଆନନ୍ଦରେ ଗଲା ପୂରି।
ଦୂତମୁଖୁ ଶୁଣି ଉତ୍କଳ କାହାଣୀ
ଶାଲ୍ୱ ନରସିଂହ ବୀର,
ଲଭିଲେ ସନ୍ତୋଷ,ବିଚାରିଲେ କନ୍ୟା
ହେବ ରାଣୀ ଉତ୍କଳର।
ଗଜପତି ଗାଦି ସମ୍ଭାଳି ପୁରୁଷ-
ଉତ୍ତମ ଦୂତ ହାତରେ,
ବିବାହ ପ୍ରସ୍ତାବ ପଠାଇଲେ ନୃପ
ଘୋଷଯାତ୍ରା ଅବସରେ।
କାଞ୍ଚିରାଜ୍ୟ ମନ୍ତ୍ରୀ, ଅମାତ୍ୟ ସହିତେ
ଆସିଲେ କୁଳପୁରୋଧା,
ରାଜଆତିଥ୍ୟରେ ମହା ଆଡମ୍ବରେ
ଦେଖିବାକୁ ରଥଯାତ୍ରା।
ଘୋଷଯାତ୍ରା ଦରଶନ ସଙ୍ଗେ ସଙ୍ଗେ
ବିବାହ ତିଥି ନିର୍ଣ୍ଣୟ-
କରି ଫେରିବାକୁ ରାଜ ଜ୍ୟୋତିଷଙ୍କୁ
କହିଥିଲେ କାଞ୍ଚି ରାୟ।
ଯାତ୍ରା ସମୟରେ ପ୍ରଭୁଙ୍କ ରଥରେ
ଉତ୍କଳ ମଉଡମଣି,
କରୁଥିଲେ ଛେରାପହଁରା ହାତରେ-
ଧରି ରତ୍ନ ସମାର୍ଜନି।
ସରିଗଲା ଯାତ ରାଜପୁରୋହିତ
ଯାଇଛନ୍ତି କାଞ୍ଚି ଫେରି,
ଚାହିଁ ରହିଛନ୍ତି ପୁରୁଷ ଉତ୍ତମ
ବାର୍ତ୍ତାକୁ ଅପେକ୍ଷା କରି।
ଏହି ଅବସରେ ଗୋଦାବରୀ ଧାରେ
ବହିଲାଣି କେତେ ଜଳ,
ହମ୍ବିରଙ୍କ ସଙ୍ଗେ ଭୀଷଣ ଆହବେ
ଲିପ୍ତଥିଲେ ନରପାଳ।
ଆଜି ରୂପାମ୍ବିକା ସ୍ମୃତି ଚହଲାଇ
ଦିଏ ରାଜାଙ୍କର ମନ,
ବିଚାରିଲେ 'ପ୍ରାଣପ୍ରିୟା ବିନା ଆହା
କେଡେ ତୁଚ୍ଛ ଏ ଜୀବନ !'
ପ୍ରିୟା ସ୍ମୃତି ଆପେ, ହୃଦୟ ଫଳକେ
ପ୍ରତିବିମ୍ବିତ ହୋଇଲା,
ଜେମାଙ୍କ ସ୍ୱପ୍ନିଳ ମୁଖ ଆଖିଆଗେ
ରାଜାଙ୍କର ନାଚିଗଲା।
କର୍ଣ୍ଣେ କୁହରିତ ହେଲା ରୂପାମ୍ବିକା-
ଙ୍କର ବୀଣାଜିଣା ବାଣୀ,
କନ୍ଦୁକ-ହାତରେ ଲେଉଟି ଚାହିଁବା
ଅଙ୍ଗଲତିକାର ଠାଣି।
କୋଇଲି ଗାଇଲେ, ନୃପତି ଭାବିଲେ
'ଗୀତ ଗାଉଛି ମୋ ପ୍ରିୟା,'
ମଲ୍ଲି ଚହଟିଲେ ,ବିଭୋରେ କହିଲେ
'ତା ଅଙ୍ଗବାସ ତ ଏହା ! '
ଭଙ୍ଗାଜହ୍ନ ଦେଖି ଆକାଶେ, କହନ୍ତି
'ଦୋଳି ଏହା ମୋ ପ୍ରିୟାର,
ଗଗନେ ଝୁଲୁଛି,ଧରିତ୍ରୀ ଦେଖୁଛି,
ଝଲକ ରୂପାମ୍ବିକାର।'
ବନଜ୍ୟୋସ୍ନା ଶୀତଳତାକୁ ସାଉଁଟି
ଅନୁଭବନ୍ତି ଛାତିରେ,
କହନ୍ତି 'ପ୍ରିୟାର ରୂପ ଶୀତଳତା
ଭରି ରହିଛି ଜହ୍ନରେ !'
ପ୍ରଭାତୀ ତାରାକୁ ଚାହିଁ କହନ୍ତି 'ଏ
ପ୍ରିୟା ମଥାବିନ୍ଦି ଭଳି,'
ସକାଳର ଅରୁଣିମାରେ ଦେଖନ୍ତି
ରାଜଜେମା ଓଷ୍ଠ ଲାଲି।
ହରିତ କେଦାର ଗାଲିଚାକୁ ଚାହିଁ
କହନ୍ତି 'ଶାଢି ପ୍ରିୟାର'
ଲାଜକୁଳୀ ଲତା ଲାଜରେ ଦେଖନ୍ତି
ଲାଜ ରୂପାମ୍ବିକାଙ୍କର।
ବିଚାରିଲେ 'ସେତ ସ୍ୱର୍ଗ ଅପସରା
ଆସିଥିଲା ଜୀବନରେ,
ସୌନ୍ଦର୍ଯ୍ୟର ରେଣୁ ବୁଣିଦେଇଗଲା
ସଂଜେ କାବେରୀ ବାଲିରେ !'
ସେ ରେଣୁ ସାଉଁଟି ହୃଦେ ଲଗାଇଲେ
ବିଦଗ୍ଧ ନୃପତିବର,
ଉପୁଜିଲା ଶଙ୍କା "କିପାଁ ନଆସିଲା
ନିର୍ଣ୍ଣୟ କାଂଚି ରାଜ୍ୟର ?
ଫେରି ଯାଇଛନ୍ତି ରାଜପୁରୋହିତ,
କିବା ନିର୍ଣ୍ଣୟ ଘେନିଲେ?
ବିବାହର କେଉଁ ତିଥି ସ୍ଥିରକଲେ
ଏ ପର୍ଯ୍ଯନ୍ତ ନକହିଲେ।"
କାଞ୍ଚିର ନିର୍ଣ୍ଣୟ ଜାଣିବାକୁ ନୃପ
ମହା ଉତ୍କଣ୍ଠା ମନରେ,
ଉତ୍କଳ ଦୂତକୁ ପଠାଇଲେ ରାଜ-
ମାତାଙ୍କ ପରାମର୍ଶରେ।
କ୍ରମଶଃ-------