ପୁରାଣ ସାର ଭାଗବତ
ପୁରାଣ ସାର ଭାଗବତ
ବେଦ ବେଦାନ୍ତ ର ସାର ତତ୍ତ୍ଵେ ଭରା
ଆମ ପ୍ରିୟ ଭାଗବତ
ଭାଦ୍ରବ ପୂର୍ଣ୍ଣିମା ତିଥିରେ ଲେଖନ୍ତି
ସଂସ୍କୃତରେ ବ୍ୟାସଦେବ ।
ଜଗନ୍ନାଥ ଦାସ ଜନ ମନ ଜାଣି
ଓଡ଼ିଆରେ ଯେ ଲେଖନ୍ତି
ସହଜ ଶବ୍ଦରେ ଭାବ ଦେଇ ତାକୁ
ଲୋକ ସମ୍ମୁଖେ ବାଢନ୍ତି ।
ପରୀକ୍ଷିତ ଶୁକମୁନି ବାର୍ତ୍ତାଳାପେ
ଗ୍ରନ୍ଥଟି ମହିମା ମୟ
ସାତଦିନ ମଧ୍ୟେ ରାଜା ପରୀକ୍ଷିତ
ଶୁଣିବାକୁ କଲେ ଲୟ ।
ଶାସ୍ତ୍ର ନିର୍ଯ୍ୟାସ ରେ ନବାକ୍ଷରୀ ଛନ୍ଦେ
ଲିଖିତ ଯେ ଭାଗବତ
ଜୀବନ ଜୀଇଁବା ଶିଖାଇ ଦିଏ ସେ
ଶୁଣାଏ ଯେ କୃଷ୍ଣ ତତ୍ତ୍ଵ ।
ସୃଷ୍ଟି ତତ୍ତ୍ଵେ ଭରା ଜୀବନ ଜିଜ୍ଞାସା
ଦିଅଇ ଯେ ଭାଗବତ
ଜ୍ଞାନଭକ୍ତି ବାଣ୍ଟେ କର୍ମ ଯୋଗ କହେ
କହେ ଜୀବନ ଚରିତ ।
ଶାସ୍ତ୍ର ପୁରାଣର ଗାଥା ସବୁ ଏଠି
ସହଜ ସରଳେ ଲେଖା
ଯଜ୍ଞ କଥା କୁହେ ମୋକ୍ଷ କଥା କୁହେ
ଦିଏ ଜୀବନ ବାରତା ।
କୃଷ୍ଣାମୃତେ ଭରା ଢାଳଇ ଅମୀୟ
ଜୀବନ ପବିତ୍ର କରେ
ମନ ମୀନ ପରା କୃଷ୍ଣ ରସ ପାନେ
ପବିତ୍ର ଯେ ହୋଇଯାଏ ।
ଭାଗବତେ ଭରା ବିଜ୍ଞାନ ଦର୍ଶନ
ନବଧା ଭକ୍ତିର ଧାରା
ଭକ୍ତି, ପ୍ରେମ ତତ୍ତ୍ଵ ଧର୍ମ ଓ ସାହିତ୍ୟ
ସବୁ ତ ଏଥିରେ ଭରା ।
ଇଶ୍ଵର ପ୍ରାପ୍ତିର ଧାରା ବୁହାଇଛି
ଆମ ଗ୍ରନ୍ଥ ଭାଗବତ
ଜୀବନ ପାଇଁ କି ଯାହା ଯାହା ଲୋଡ଼ା
ଭାଗବତେ ଯେ ପ୍ରତୀତ ।
ପ୍ରତି ଘରେ ହୁଏ ଭାଗବତ ପୂଜା
ପ୍ରତ୍ୟେହ ଏହାର ପାଠ
ଆମ ସଂସ୍କୃତିର ଧରୋହର ସିଏ
ଦିଏ ଆତ୍ମିକ ବିଶ୍ୱାସ ।
ଭାଗବତ ପାଠ ଭାଗବତ ଜନ୍ମ
ଦର୍ଶାଏ ଏହା ଦିବ୍ୟତା
ସାମ୍ୟ, ମୈତ୍ରୀ ଆଉ ଏକତା ମନ୍ତ୍ରରେ
ଭାଗବତ ର ପୂର୍ଣ୍ଣତା ।
ଜୀବନ ଜୀଇଁବା ବାରତାରେ ଭରା
ପୁଣ୍ୟ ମୟୀ ଭାଗବତ
ଭକତି ମୁକ୍ତିର ଶୀତଳ ସ୍ରୋତ ଯେ
ଦେଖାଏ ମୋକ୍ଷ ର ପଥ ।
ଭାଗବତ ଦିଏ ଏକତା ବନ୍ଧନ
ସାମ୍ୟତା ର ମୃଦୁ ସ୍ପର୍ଶ
ଭାଗବତୁ ଝରେ ଅମୃତର ଧାରା
କର୍ଣ୍ଣ ହୁଅଇ ପବିତ୍ର ।
ଆତ୍ମତତ୍ତ୍ଵ ଦିଏ ଚେତନା ଜଗାଏ
ହୁଏ ଜୀବ ନିର୍ବିକାର
କ୍ରୋଧ, ଅହଙ୍କାର, ବାସନା ଲାଳସା
କଟି ଯାଏ ଯେ ବିକାର ।
ଅମୂଲ୍ୟ ନିଧି ଏ ଭାଗବତ ପରା
ଆମ ସଂସ୍କୃତିର ମୋତି
ବିନା ଭାଗବତେ ସାରଶୂନ୍ୟ ଅଟେ
ଆମର ବିରାଟ ଜାତି ।
ସବୁ ପୁରାଣର ମଧ୍ୟେ ସାର ପରା
ସବୁ ଶାସ୍ତ୍ରଙ୍କର ରାଣୀ
ଭାଗବତ ଖାଲି ପୁସ୍ତକ ନୁହଁଇ
ସିଏ ପୂଜ୍ୟ ମହାମାନୀ ।
ପ୍ରଣାମ କରୁଛି ମହା ଭାଗବତେ
ଆମ ଜୀବନ ର ଧାରା
ଭାଗବତ ଟୁଙ୍ଗି ହେଉ ପୁନର୍ଜନ୍ମ
ଦେଉ ଶାନ୍ତିର ବାରତା ।
