ପୁନରାବୃତ୍ତି
ପୁନରାବୃତ୍ତି
ତ୍ରେତୟା ଯୁଗରେ ତିନି ଗାର ଡେଇଁ
ସୀତା ହୋଇଗଲେ ଚୋରୀ
କରି ପରିହାସ ଦ୍ଵାପରେ ଦ୍ରୌପଦୀ
ନ ହୋଇଲେ କେତେ ସରି ।
ଯୁଗେ ଯୁଗେ ନାରୀ ଭୋଗି ନିର୍ଯାତନା
ତଥାପି ଚାଲିଛି ବାଟ
ପିଣ୍ଡାଧାରେ ଯିଏ ନ ଚାଲି ଶିଖିଛି
ଖାଇଛି ଖଣ୍ଡାର ଚୋଟ ।
ଦୁଇ କୁଳ ହିତ କରିବା ସକାଶେ
ବୋଲାଏ ନାମ ଦୁହିତା
ଅଣହୁସିଆର ହୋଇଗଲେ ,ପରେ
ବାକି ରହିଯିବ ଚିତା।
କାନ୍ଦିବ ଜନନୀ ଗୁମୁରି ଗୁମରି
ନିନ୍ଦିବେ ସାଇପଡ଼ିଶା
ମୁଣ୍ଡ ଟେକି ବାପା ନ ପାରିବେ ଚାଲି
ହେବେ ଖାଲି ଲୋକହସା।
ଆଧୁନିକା ଉଚ୍ଚ ଶିକ୍ଷିତା ହୋଇ ବି
ବିପଦ ତ ଟଳିନାହିଁ
ଚାରିଆଡେ ଜଳେ ଅଶାନ୍ତିର ନିଆଁ
କେତେ ବନିତାଙ୍କପାଇଁ।
ସେ ଯୁଗରେ ଥିଲା ଗୋଟିଏ ରାବଣ
କୁରୁପୁତ୍ର ମାତ୍ର ଶହେ
ବଦଳିଛି ଯୁଗ, ମରିନି ପ୍ରକୃତି
ପାପ ଧନ, ମନ ମୋହେ ।
ଜନନୀ, ଭଗିନୀ, ଜାୟାରୂପ ଧରି
ନାରୀ ତ ନ ପାଏ ରାହା
ହାତେ ମାପି ନିତି ଚାଲିବ ଚାଖଣ୍ଡେ
ଧର୍ମ ଏକା ହେବ ସାହା।
କାଳଚକ୍ର ଘୂରୁଛି ତ ଘୂରୁଥିବ
ପରଖିବ ଭଲଭେଲ
ଗୁରୁ, ଗରୁଜନ କଥା ନ ମାନିଲେ
ନିଶ୍ଚୟ ପୂରିବ କାଳ।
