ପୁଣ୍ୟତୀର୍ଥର ଅଞ୍ଜଳି
ପୁଣ୍ୟତୀର୍ଥର ଅଞ୍ଜଳି
ନାରୀର ଭୂମିକା ଆଶା ଅବନ୍ତିକା
ରୂପେ ରୂପେ ରୂପାୟନ,
ତା'ରି କୋଳର ସେ ଦକ୍ଷିଣ ଈଶ୍ୱର
ପୁରୁଷ ପୁରୁଷୋତ୍ତମ !
ନାରୀ ଯେ ଭଗିନୀ ଦୁହିତା ସର୍ବଣୀ
ଜନନୀ ସହଧର୍ମିଣୀ ,
ବାମାଙ୍ଗ ବନ୍ଦିନୀ ଲକ୍ଷ୍ମୀ ସ୍ୱରୂପିଣୀ
ସୁପ୍ରିୟା ସେ ଅର୍ଦ୍ଧଙ୍ଗିନୀ ।
ସ୍ତ୍ରୀ ରୂପିଣୀ ନାରୀ ଶାସ୍ତ୍ର ଶିରୋମଣି
ଗୃହଲକ୍ଷ୍ମୀ,ଜଗଦ୍ଧାତ୍ରୀ ,
ଅଗଣା ତୁଳସୀ ମନ୍ଦ ମନ୍ଦ ହସି
ପୁଣ୍ୟ ଅର୍ଜେ ଦିବାରାତ୍ରି ।
ପତି ହିଁ ତା'ପାଇଁ ପରମ ଈଶ୍ୱର
ପତି ସେବା ତା'ର ଧର୍ମ,
ଧର୍ମରେ ଧର୍ମରେ କର୍ମରେ କର୍ମରେ
ଅର୍ଜି ଚାଲେ ସୁକରମ ।
ଜାୟା ସ୍ୱରୂପିଣୀ ସୌଭାଗ୍ୟଶାଳିନୀ
ପୂଜା,ବ୍ରତ ଉପବାସ ,
ପୁଣ୍ୟ ପରଶରେ ପରିବାରେ ଢାଳେ
ମହାର୍ଘ ଜ୍ୟୋତି ପ୍ରକାଶ ।
ସୁଲକ୍ଷଣୀ ସିଏ ସାଧନା ତପସ୍ୟା
ତା' ଅନ୍ତର ଅନ୍ତରାଳେ ,
ହସି ଖେଳୁଥାଏ, ଖେଳି ସେ ହସାଏ
ଭାଗ୍ୟ ବିବର୍ତ୍ତନ ଫଳେ ।
ପରିବାର ପାଇଁ ସ୍ୱତଃସ୍ପୃତ ହୋଇ
ଜୀବନର ଜଳାଞ୍ଜଳି ,
ଦେଇ ପାଇଥାଏ ଚରମ ଆନନ୍ଦ
ପୁଣ୍ୟତୀର୍ଥର ଅଞ୍ଜଳି ।
ପିତୃପୁରୁଷଙ୍କ ସଦ୍ଗତି ପ୍ରାର୍ଥନା
ତା' ବିନୁ ନୁହେଁ ସମ୍ପୂର୍ଣ୍ଣ ,
ସ୍ୱୟଂ ସମ୍ପୂର୍ଣ୍ଣା ସେ ଅଙ୍ଗନ ଅପର୍ଣ୍ଣା
ପ୍ରୀତିପର୍ଣ୍ଣା ଅର୍ଣ୍ଣପୂର୍ଣ୍ଣା ।
ଧୈର୍ଯ୍ୟର ଧରିତ୍ରୀ ଜ୍ଞାନରେ ସୌମିତ୍ରୀ
ଜିଜ୍ଞାସୁ ସେ ଜୟପ୍ରଦା ,
ଲୁହର ବନ୍ଧରେ ଲୁହକୁ ଲୁଚାଇ
ସନ୍ତାନ ପାଇଁ ଅନ୍ନଦା ।
ଲାନ୍ଛନା ଭତ୍ସନା ଶତ ନିର୍ଯ୍ୟାତନା
ପୃଷ୍ଠା ପୃଷ୍ଠା ପ୍ରବଞ୍ଚନା,
ସହି ଚାଲିଥାଏ ପିଇ ଚାଲିଥାଏ
ବାଣ୍ଟିଚାଲେ ଆଶ୍ୱାସନା ।
