ପଥହୁଡା
ପଥହୁଡା
ପଥହୁଡା ମୋର ଉତ୍କଳ ସନ୍ତାନ
ବିବେକକୁ ଭୁଲି ସାଜିଛ ଅଜ୍ଞାନ
ଗଢ଼ିଛି ସେ ପରା ତୁମ୍ଭରି ଜୀବନ
କେମନ୍ତେ କରୁଛ ମାତୃ ଅପମାନ ?
ସ୍ୱଚ୍ଛ ଜଳଧାରା ଶୀତଳ ପବନ
ନାନା ଶସ୍ୟରାଶି ତା' ବକ୍ଷର ଦାନ
ଓଡ଼ିଆ ଭାଷା ମୋ' ଅମୃତ ସମାନ
ଭୂଲିଗଲ କିମ୍ପା ସାଜି ଯେ ବିଦ୍ୱାନ ?
ଯାହାରି କୋଳରେ କରି ଅଧ୍ୟୟନ
ଅର୍ଜିଲ ଅନେକ ମାନ ଓ ସମ୍ମାନ
ତା ମାଟି ମହକ ନଦୀ ଗିରି ବନ
ବିଦେଶରେ କିବା ପଡୁନି କି ମନ ?
ବିକାଶ ପଥରେ ଇପ୍ସିତ ଆସନ
ବୋଲାଇବା ପାଇଁ ଅଜେୟ ରାଜନ
ମାତୃଭୂମି କଲ ନିର୍ବିଘ୍ନେ ବର୍ଜନ
କେମିତି ହୋଇଲ ଏପରି କୃତଘ୍ନ ?
ଧର୍ମ ସଂସ୍କୃତିରେ ଉତ୍କଳ ମହାନ
ନୃତ୍ୟ ଗୀତ କଳା ଅମୂଲ୍ୟ ଭୂଷଣ
ରଖିବାକୁ ଭାଷା ସାହିତ୍ୟ ଅକ୍ଷୁର୍ଣ୍ଣ
କର୍ତ୍ତବ୍ୟ ବୋଲି ତୁ କରୁ କି ଚିନ୍ତନ ?
ମନେ ଅନ୍ଧକାର ହୋଇଛି ଆଚ୍ଛନ୍ନ
ଦେଖିପାର ନାହୁଁ ମାଆର କଷଣ
ପୁତ୍ର ବିନା ପ୍ରାଣ କରୁଛି ରୋଦନ
ଫେରିଆସ ଧନ ଦେଉଛି ଆହ୍ୱାନ ।
