ପ୍ରତିଜ୍ଞା
ପ୍ରତିଜ୍ଞା
ଜୀବନ ପ୍ରତିଜ୍ଞା ଅତ୍ୟନ୍ତ ଜରୁରୀ
ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ,
ପ୍ରତିଜ୍ଞା ନଥିଲେ ମୂଲ୍ୟହୀନ ପୁଣି
ସେ ସ୍ବାଦ ବିହିନ ଓ ଅବଶୋଷ।
ସଂସାର ସତେକି ପ୍ରହେଳିକାମୟ
ମିଛ ବୋହୂଚୋରି ଖେଳ ଖେଳଇ ,
ମାୟା ମରୀଚିକା ପଛରେ ଧାଇଁକି
ବୁଝୁ ବୁଝୁ ସବୁ ଦିଏ ହରାଇ !
ବିଚିତ୍ର ବନ୍ଧନ ସଚିତ୍ର ଡୋରୀରେ
ବାନ୍ଧି ହୋଇ ଫଶେ ପ୍ରହେଳିକାରେ ,
ଶାନ୍ତି ଖୋଜି ଖୋଜି ଧାଇଁ ଚାଲିଥାଏ
କ୍ଷଣିକ ସୁଖର ଅନ୍ତରାଳରେ !
ସୁଖ ଆସିଥାଏ ,ଆସି ଚାଲିଯାଏ
ସମୟ ସାଥିରେ ମିତ୍ରତା କରି ,
ସମୟକୁ ଦୋଷ ଦେବା ବା କାହିଁକି
ଆମେ ଯେ ନିଜର ନିଜେ ବଇରି !
ଜାଣି ଜାଣି ମାୟା ମିରିଗ ପଛରେ
ଧାଇଁଛି ,ଜାଣିଛି ହାରିବ ସୀତା ,
ଧନ୍ୟରେ ମଣିଷ ବିବେକ ଥାଇ ବି
ଅବିବେକୀ ତୋର ମନ-ସଂହିତା !
ମଣିଷ ଜୀବନ ଅଟଳ ପ୍ରତିଜ୍ଞା
ପ୍ରତିଜ୍ଞା ପଣରେ ସେ'ଚାଲିଅଛି,
ଇଚ୍ଛାକୁ ସମାଧି ଦେଇ ତା' ଜୀବନେ
ପ୍ରତିଜ୍ଞାର ପୂରଣରେ ବଞ୍ଚିଛି !
ଆଖିଦେଖା କଷ୍ଟ ସଭିଏ ଜାଣନ୍ତି
ମନର ଦରଦ ବୁଝେନା କେହି ,
ମଣିଷ ଜୀବନ ସଦା ପ୍ରଶ୍ନବାଚୀ
ସମସ୍ୟାର ବୋଝ ମୁଣ୍ଡରେ ବୋହି !
ଚାହଁ ଯଦି ତୁମେ ଶାନ୍ତି ପାଇବାକୁ
ମରୀଚିକା ପଛେ ଯାଅ କିପାଇଁ ?
ନିଜର ସୁଖକୁ ବାଣ୍ଟି ଦେଇ ଚାଲ
ଅନ୍ୟ ଦୁଃଖତକ ନିଅ ଗୋଟେଇ !
ସମୟ ନେଉଛି ପରୀକ୍ଷା ସଭିଙ୍କ
ପ୍ରଶ୍ନ ପତ୍ର ଅଟେ ଅତି ଜଟିଳ ;
ବୁଦ୍ଧି ଜ୍ଞାନ ସବୁ ପ୍ରୟୋଗ କରି ବି
ମଣିଷ ହେଉଛି ସଦା ବିଫଳ !
ମଣିଷ ଜୀବନ ସଦା ପ୍ରଶ୍ନବାଚୀ
ପ୍ରତିଜ୍ଞାର ଏକ ପରୀକ୍ଷାଗାର,
ସମୟ ନିଅଇ ପରୀକ୍ଷା ସର୍ବଦା
ପ୍ରତିଜ୍ଞାରେ ହୁଏ ସରଳତର।
ବାସ୍ତବବାଦରେ ବିଶ୍ୱାସ ଯେ ରଖି
ଚାଲଇ ସଠିକ୍ କର୍ତ୍ତବ୍ୟ କରି,
କର୍ତ୍ତବ୍ୟବୋଧକୁ ପ୍ରତିଜ୍ଞା ନକଲେ
ମଣିଷ ହୋଇଯାଏ ହତଶିରୀ।
ଅନ୍ୟକୁ ସମ୍ମାନ-ସ୍ନେହଶ୍ରଦ୍ଧା-ପ୍ରେମ
ଦେବାରେ କୁଣ୍ଠିତ ଯେ ଜନ ନୁହେଁ,
ଜୀବନ ପ୍ରତିଜ୍ଞା ବାସ୍ତବ ରୂପରେ
ସର୍ବଦା ସହଜ ତା' ପାଇଁ ହୁଏ।
ଦେବବ୍ରତ ପରି ଅଟଳ ପ୍ରତିଜ୍ଞା
ଜୀବନରେ ଯିଏ ଆପଣେଇଛି,
ପ୍ରତି ପାହାଚରେ ସଫଳତା ସିଡି
ଅନାୟସ ଭାବେ ସିଏ ଚଢିଛି ।।
