ପ୍ରତୀକ୍ଷା
ପ୍ରତୀକ୍ଷା
ଜୀବନପାତ୍ର ମୋ ଶୂନ୍ୟତାରେ ଭରା
ପ୍ରୀୟା ତୁମପାଇଁ ଝୁରେ,
ବିରହ ଵିଧୁରା ହୃଦୟର ଭାଷା
କହିବି ପାରେନା ଥରେ |
ଭଲ ମୁଁ ପାଉଛି ଏକା ମୁଁ ତୁମକୁ
ମୁଗ୍ଧ ଅନ୍ତର ଖୋଲି,
ଅଙ୍ଗୀକାର ତୁମେ କରିଛତ ନିଜେ
ଦେଇଅଛ ପ୍ରୀତି ଢାଳି |
ପ୍ରଥମ ବସନ୍ତେ ଝରା ବଉଳରେ
ତୁମେ ଆସିଥିଲ ଝରି,
ପ୍ରୀତିର ମହକ ଆଘ୍ରାଣେ ଅଧୀର
ହୃଦୟ ମୋ ଗଲା ଭରି |
ସେଦିନର ସ୍ମୃତି ଆଜିବି ଝୁରୁଛି
ଅଳସ ଆଖିର ଭାଷା,
ପଢ଼ିଥିଲି ମଗ୍ନେ ନୟନେ ନୟନେ
ଅଙ୍କିଥିଲ ଯେଉଁ ଆଶା |
ନୀରବ ମନର ଅକୁହା ବେଦନା
ଯନ୍ତ୍ରଣା ଭରେ ଆଜି,
ଗୋଧୂଳିର ରଙ୍ଗ ମିଳେଇ ଯାଉଛି
ଫଗୁଣ ଯାଉଛି ହଜି |
ତଥାପି ତୁମର ଫେରିବା ବାଟକୁ
ପ୍ରତୀକ୍ଷା ମୋ ଦୀର୍ଘ ସାଥି,
ତୁମକୁ ଭୁଲିବା ହେବନି ଜୀବନେ
ମଧୁ ଭରେ ତୁମ ସ୍ମୃତି |
ଅନାବିଳ ପ୍ରେମ ହୁଏ ଚିରନ୍ତନ
ଥିଲେ ବି ବିରହ ଜ୍ୱାଳା,
ଜହ୍ନର ଜୋଛନା ଭରିବ ଜୀବନେ
ଆସିବ ଦିନେ ସେ ବେଳା ।