ପ୍ରତି ମା ପଦେ ଏ' ଅଳି
ପ୍ରତି ମା ପଦେ ଏ' ଅଳି
ଲୀନ ହୁଏ ସବୁ ଜୀବନ ଜଞ୍ଜାଳ
ସମୁଦ୍ର ରୂପୀ ଗର୍ଭରେ
ରଖିଛି ଅକ୍ଷୟ ପାତ୍ର ନିଜ ପାଖେ
ଭୋକ ଚାଲି ଯାଏ ଦୂରେ
ଅମୃତ କଳସ ଶୀତଳ ଧାରରେ
ତୃଷା ଆପେ ନିବାରଣ
ନିଦ୍ରା କୁ ସ୍ଵାଗତ ଚିତ୍ତ ତୃପ୍ତି ପରେ
ଜାଣେ ମାତ୍ର ମାତୃ ପ୍ରାଣ
କଳ୍ପ ବଟ ରୂପେ ଘର ଅଗଣାରେ
ଜଳି ନିଜେ ଦୀପ ପରି
ଉଦାର ହୃଦୟେ କରେ ଆଲୋକିତ
ଅନ୍ୟ ହିତେ ସର୍ବୋପରି
ମାଆ ଗୀତ ପ୍ରାୟ ନିଦୁଆ ସଙ୍ଗୀତ
ଗପ ପଛେ ପଛେ ନିଦ
ମାଆ ଗୀତ ରାଗ ରାଗିଣୀ ମୂର୍ଚ୍ଛନା
କ୍ଳାନ୍ତ ଚିତ୍ତକୁ ବିନୋଦ
ଦେହ ମୁଣ୍ଡ ଜାଣେ ମାଆର ଆଉଁସା
ପରିଚିତ ମାଆ ହାତ
ହାତ ରନ୍ଧା ଖାଦ୍ୟେ ଅମୃତର ବାସ୍ନା
ମାଆ ହାତ ହିଁ ଅମୃତ
ମାଆ ହାତେ ମାଡ଼ ଆଉ ଗାଳି ପ୍ରାୟ
ଧୂଳି ପରି ଯାଏ ଝଡି
ମାଆ ଗାଳି ମାଡ଼ ହେଉ ଅଛି ଜାଣି
ଅନ୍ୟ ମାନେ ଠରା-ଠରି
ମୋ ଧନ ସୁନା କୁଳ ଚନ୍ଦ୍ରମା ଡାକ
ଅବୁଝା ପଣିଆ ଜାଣି
ଲୁହ ଧାର ଝରି ନୟନ କୋଣରୁ
ଦୁଃଖ କହିବ ବଖାଣି
ଦୁଷ୍ଟାମି ବେଳରେ ବାପାଙ୍କୁ କହିବି
ଡରାଇବ ମିଛ ଡର
ହାତେ ହାତ ଧରି ଆକଟ କରିବ
ଗମ୍ଭୀର କରିବ ସ୍ୱର
କାଉ ବଗ ବାୟା ଭୂତ ଜହ୍ନ ମାମୁଁ
କିଏ ଶୁଣୁ ବା' ନ' ଶୁଣୁ
ଖାଇବା ବେଳରେ ଡାକିବ ସଭିଙ୍କୁ
ଡାକ ପରେ ଗୁଣୁଗୁଣୁ
ହେଇଟି ଆସିଲା ବସିଛି ସେଇଠି
କହିବ ତୁହାକୁ ତୁହା
ଆଁ ପୁଣି ଆଁ କରି ଅନେଇ ରହିଲେ
ଖୁଆଇ କହିବ ଆହା!
ପ୍ରବାଦରେ ମାଆ ଗାଳି ଦାଣ୍ଡ ଧୂଳି
ମାଆ କୋଳ ଫୁଲ ମାଳ
ମାଆ ସ୍ନେହ ମିଠା ମିଠା ତୋଫା ଜହ୍ନ
ମାଆ ରାଣ ଢ଼ିଙ୍କି ଗିଳ
ମାଆ ମାଡ କୁଆ ପାଡ ଲୋକ କଥା
ପ୍ରଚଳିତ ସମାଜରେ
ଅସମ୍ଭବ ମାଆ ଋଣ ପରିଶୋଧ
ପ୍ରତି ଜନ୍ମ ଜନ୍ମାନ୍ତରେ
ନିପୁଣ ଓ ଦକ୍ଷ କଳାକାର ଭାବେ
ଜୀବନ୍ତ ଅଭିନୟ ରେ
ଘର ପରିବାର ସମାଜ ଓ ଦେଶ
ଯୋଡେ ଏକତା ସୂତ୍ରରେ
ଆଧୁନିକ ସଭ୍ୟତାର ତାଳେ ତାଳେ
ସବୁ ଯାଇଛି ବଦଳି
ଅକ୍ଷୁର୍ଣ୍ଣ ରହୁ ସେ ମାଆର ମମତା
ପ୍ରତି ମା ପଦେ ଏ' ଅଳି ।।
