ପ୍ରଥମ ଦେଖା
ପ୍ରଥମ ଦେଖା
ଏଯାଏଁ ଲିଭିନି ତା' ମୁଖ ଦର୍ପଣ
ତରୁଣ ବିଳାସୀ ମନୁ,
ଯହିଁ ଫୁଟୁଥିଲା ପ୍ରେମ ମନ୍ଦାକିନି
ତା' କ୍ଷଣ ଭଙ୍ଗୁର ତନୁ ।।
କି ଉପମା ଦେବି କି ଶବ୍ଦେ ବର୍ଣ୍ଣିବି
ତା' ରୂପ ରଙ୍ଗ ଯୌବନ,
ସୁଷମା ସଂଚାରେ ପ୍ରକୃତି ପ୍ରାୟକ
ଅବର୍ଣ୍ଣନୀୟ ଅନୁପମ ।।
ଅପରାହ୍ନ ସୂର୍ଯ୍ୟ ମଉଳି ତା' ଦେହେ
ରକ୍ତିମ ଆଭାକୁ ଲେସି,
ତା' ଗୋରା ତନୁରେ ଉଚ୍ଛୁଳା ଯୌବନ
ରୋମାଂଚିତ କରେ ବେଶୀ ।।
ମଳୟ ପ୍ରାୟକ ସ୍ମିତହାସ୍ୟ ତା'ର
ଉଲ୍ଲାସିତ କରେ ଯେତେ,
ବୈରାଗୀ ହୃଦୟ ମୋହଗ୍ରସ୍ତ ହୁଏ
ପ୍ରଣୟର ପଥେ ପଥେ ।।
ସେ ପ୍ରଣୟ ପଥେ ପାଦ ଥୋଉ ଥୋଉ
ଖସଡ଼ା ଲାଗଇ ଯେତେ,
ଶଙ୍କିତ ହୃଦୟେ ବାଦ-ଅପବାଦ
ଘର ତୋଳି ବସେ ସେତେ।।
ପ୍ରଣୟିନୀ ତବ ପ୍ରଣୟ ପିଆଲା
ନୟନ, ଓଷ୍ଠୁ ଝରଇ
ତରୁଣ କବିର କଲମ କି କେବେ
ନଲେଖି କି, ରହି ପାରଇ ?