ପୃଥୀ କ୍ଷଣକ୍ଷଣକେ ଆନ
ପୃଥୀ କ୍ଷଣକ୍ଷଣକେ ଆନ
ବାଟଘାଟରେ ଖସରା ପଥର
ପାଦ ରଖିଲେ ଦେହ ଟଳମଳ
ବେଙ୍ଗ କହେ ବେଙ୍ଗୁଲି ଲୋ
"ପୃଥୀ କ୍ଷଣକ୍ଷଣକେ ଅ।ନ "।
ଦେଖିଛ କି କେମିତି ଦିନକୁ ଦିନ
ବଦଳି ଯାଉଛି ସମାଜଜୀବନର
ଛବି, ହଜିଯାଉଛି ମଣିଷ ମନର
ସରଳ ବିଶ୍ୱାସ, ଗାଁ ଠୁ ସହର
ବାଟସାରା ଭର୍ତ୍ତି ଖସରା ପଥର ।
ଦେଖିଛ କି କେମିତି ଆଗକୁ
ବଢୁଛି ରୁଗଣ ଜୀବନଧାରା,
ଦୂର୍ବଳ ମୂଳଦୁଆ ଉପରେ
ମୁଣ୍ଡ ଟେକୁଥିବା ସୁଉଚ୍ଚ
ଆପାର୍ଟମେଣ୍ଟ ଭଳି ।
ଦିନକୁ ଦିନ ପୃଥିବୀ ଯେତେ
ଛୋଟ ଦିଶୁଛି, ସେତିକି
କ୍ଷୀଣତର ହୋଇଯାଉଛି
ମଣିଷପଣିଆ ଓ ହୃଦୟ ।
ଆମ ଆଖି ଆଗରେ ନିୟତ
ଘଟୁଛି ଅନେକ ଚାଞ୍ଚଲ୍ୟକର
ଖବର, ଜାଣିବାକୁ କାହାରି
ଇଚ୍ଛା କି ପ୍ରତିକ୍ରିୟା ନାହିଁ ।
ହାତରେ ନାହିଁ ସମୟ ପଡିଶା
ଘରର ହାଲଚାଲ ବୁଝିବାକୁ
ସମସ୍ତେ ବ୍ୟସ୍ତ ନିଜସ୍ୱ
ପୃଥିବୀ ପରିକ୍ରମଣରେ ।
ଧୀରେ ଧୀରେ ବାହ୍ୟ ପୃଥିବୀ
ସହ ଅପରିଚିତ ସମ୍ପର୍କ ରଖି
ଜୀଇବା କଳା ଶିଖୁଛି ମଣିଷ
ଆଦରୁଛି ସଙ୍ଗହୀନ ଜୀବନ।
ଭୁଲିଯାଉଛି ସାହିତ୍ୟ, ଇତିହାସ,
ଭୂଗୋଳ ବହିରୁ ପଢିଥିବା ପାଠ
ନୂଆ ଟେକ୍ନୋଲୋଜି ସହ ଖେଳି
ପାଲଟିଯାଉଛି ଯନ୍ତ୍ରମାନବ।
ସହରକୁ ଆସି ଯାହାକୁ ପଚାର
ପଡିଶା ଘର ଲୋକଙ୍କ ପରିଚୟ,
ନାମ, ଠିକଣା ଜଣା ନ ଥିବ। ଛଦ୍ମ
ଖୋଳପାରେ ସମସ୍ତେ ଆବୃତ୍ତ।
ଗାଁକୁ ଯାଇ ଲୋକଙ୍କୁ ପଚାର
ରାତିଅଧରେ ମିଛ ସିନ୍ଦୁରଶଙ୍ଖା
ପିନ୍ଧାଇ ଦଲାଲମାନେ ନେଇ
ଯାଇଛନ୍ତି କେତେ ଗରିବ ଘର
ଝିଅଙ୍କୁ ଦିଲ୍ଲୀ, ବମ୍ବେ, ଗୁଜୁରାଟ,
ସେମାନେ ଏବେ କେଉଁଠି ଅଛନ୍ତି
ସେ କଥା କାହାକୁ ଜଣା ନଥିବ ।
ଗାଆଁ ଗାଆଁରୁ କେତେ ଅବୋଧ ଶିଶୁ ,
କୁଆଁରୀ ଝିଅ, ଶ୍ରମିକ ନିଖୋଜ
କାହା ପାଖେ ସୂଚନା ନଥିବ ।
ଖୋଜିଲେ ଅନେକ କରୁଣ ଚିତ୍ର,
ଗରିବୀ, ବେକାରି ଜଳଛବି
ଆଖିକୁ ଜଳଜଳ ଦିଶୁଥିବ ।
ମଣିଷ ଖୋଜିଲେ ଯନ୍ତ୍ର ମିଳୁଥିବ,
ସାହାଯ୍ୟ ସହଯୋଗ ମାଗିଲେ
ଘରକବାଟ ସବୁ ବନ୍ଧ ଥିବ
ସ୍ନେହ ମାଗିଲେ ମିଳିବ ପ୍ରତାରଣା
ସରକାରୀ ଅଫିସ ଟେବୁଲ୍
ତଳୁ ହାତଟେ ଲମ୍ବି ଆସୁଥିଵ,
ଜୀବନ ଖୋଜିଲେ ମିଳିଯିବ
ଭୂତାଣୁ ସଂକ୍ରମଣ ।
ବେଙ୍ଗ କହେ ବେଙ୍ଗୁଲିଲୋ
ଦେଖୁଥା ନୂଆ ସଂସାର
ପୃଥୀ କ୍ଷଣେ କ୍ଷଣେ ଅ।ନ ।
*******
