ପ୍ରସ୍ତୁତ କୋଟିଏ ବୀର
ପ୍ରସ୍ତୁତ କୋଟିଏ ବୀର
ଶାନ୍ତିର ପ୍ରତୀକ ତ୍ରିରଙ୍ଗା ଉଡ଼ଇ
ସଗରବେ ଫର ଫର ,
କୋଟି କଣ୍ଠେ ଶୁଭେ ଭାରତର ଜୟ
ହେଇ ଶୁଣ-ନିରନ୍ତର !!
ମହାନନ୍ଦେ ସାରା ଦେଶବାସୀ ପରା
ନୃତ୍ୟ ଗୀତେ ଛନ୍ତି ମଗ୍ନ ,
ବୀର ପୁତ୍ର ଏବେ ଫେରନ୍ତି ସଗର୍ବେ
ଶତ୍ରୁ ଦମ୍ଭ କରି ଭଗ୍ନ ।
ଏ ଦେଶ କୋଳରେ ଜନ୍ମ ହୋଇ ଯିଏ
ଛୋଟରୁ ହୋଇଛି ବଡ଼ ,
ସିଂହ ଭଳି ସିଏ ଲଢ଼ିବା ଶିଖିଛି
ଆସୁ ଯା' ବିପଦ ଝଡ଼ ।
ମାଟି ମାଆର ସେ ମାନ ରଖିବାକୁ
ଛାତି ଦେଇପାରେ ପାତି ,
ମହାବୀର,'ଅରି' ଦମନ କରିକି
କୋଟି ହୃଦ ନିଏ ଜିତି ।
ଆଜି ବି ଦେଶର ମାନ ରଖିବାକୁ
ପ୍ରସ୍ତୁତ କୋଟିଏ ବୀର ,
ସେଥିପାଇଁ ଆମ ତ୍ରିରଙ୍ଗାଟି ଉଡ଼େ
ସଗରବେ ଫର ଫର ।।
(ଅଦମ୍ୟ ସାହସୀ, ବୀର ଅଭିନନ୍ଦନଙ୍କ ଭାରତ ପ୍ରତ୍ୟାବର୍ତ୍ତନ ସମୟରେ ରଚିତ)
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।