ପରଶାମୃତ
ପରଶାମୃତ
ଜୀବନ ଏମିତି ଜଟିଳ ଗଣିତ
ଯେତେ କସୁଥିବ ବସି ,
ଅଅଁଳା ରସର କଷା ପାଣି ପରି
ଢୋକୁଥିବ ବସି ବସି ।
ଭାଗ୍ୟ ଭାଗଫଳ ଶେଷ ହୋଇଗଲେ
ଖାଲି ହୁଏ ଅବଶୋଷ ,
ମାୟା ସଂସାରର ଶେଷ ପଥ ପରା
ସ୍ମୃତିର ଶେଷ ନିଃଶ୍ୱାସ ।
ଏ ଜୀବନ କେବେ ଶ୍ୱାପଦ ସଙ୍କୁଳ
ବନାନୀର ବନପଥ ,
କେବେ ପୁଣି ସିଏ ପୁଣ୍ୟ ନନ୍ଦିଘୋଷ
ସୁଗନ୍ଧିତ ସଜା ରଥ ।
ପ୍ରଭୁ ସମର୍ପଣେ ଜୀବନ ଆରମ୍ଭ
ଚଳୁଛି ଜୀବନ ପଥ ,
କରିବନି ପର କରୁଛି ଜୁହାର
ଦେବ ଦେବ ଜଗନ୍ନାଥ ।
ସୁଖ ଦୁଃଖ ହସ କାନ୍ଦର ଫର୍ଦ୍ଦରେ
ତୁମେ ମୋ ଜୀବନ ମୁକ୍ତି ,
ଶେଷ ଦିନ ଯାଏଁ ତୁମ ଆଶୀର୍ବାଦ
କେବଳ ମୋହର ଶକ୍ତି ।
ସମୟ ହାତରେ ଖେଳନା ଟିଏ ମୁଁ
ଏ ଜୀବନ ତୁମ ଦାନ ,
ଶରଣ ପଶୁଛି ସମର୍ପି ଦେଇଛି
ତୁମ ବିନା ନାହିଁ ଆନ ।
ବିଶ୍ବାସ ଭିତର ନିଃଶ୍ୱାସ ହେ ତୁମେ
ତୁମରି ଭିତରେ ହଜି ,
ପାପଠୁଁ ପୁଣ୍ୟର ଆୟୁଷ ଭିତରେ
ତୁମେ ସବୁକିଛି ଆଜି ।
ସମର୍ପି ଦେଇଛି ସଂସାର ଅର୍ଗଳି
ହେ ! ପ୍ରଭୁ ଭାଗ୍ୟ ବିଧାତା ,
ଆଶ୍ରୟ ମାଗୁଛି ତୁମ ଶ୍ରୀଚରଣେ
ମୁଁ ପରା ତୁମ ଆଶ୍ରିତା ।
ତୁମ ପାଶେ ବନ୍ଧା ଜୀବନର ସ୍ରୋତ
ଆକୁଳେ ପ୍ରତୀକ୍ଷା ରତ ,
ଅତି ଶରଧାରେ ଥରଟିଏ ମାତ୍ର
ଦେବକି ପରଶାମୃତ । (?)