ପ୍ରଣୟିନୀ
ପ୍ରଣୟିନୀ
ତୁମେ ଏକ ତମଘୋର ଜୀବନରେ
ଶୀତ ସକାଳଟିଏ ହୋଇ ଆସ
ମୁଁ ଯେବେ ସରୁଥାଏ ରାତିଟିଏ ହୋଇ
ତୁମେ ଏକ ମରୁଗ୍ରସ୍ତ ପ୍ରାନ୍ତରରେ
ଆମୋଦିତ ଜୁଆରଟିଏ ହୋଇ ଆସ
ମୁଁ ଯେବେ ଶୁଖୁଥାଏ ବେଳାଭୂମି ହୋଇ।
ତୁମେ ଏକ ଉଦାସୀ ସମୟରେ
ଆଶ୍ୱାସନାର ଚାହାଣୀ ହୋଇ ଆସ
ମୁଁ ଯେବେ ହଜୁଥାଏ ନିଜକୁ ହରାଇ
ତୁମେ ଏକ ଢଳୁଥିବା ଗୋଧୂଳିରେ
ହସୁଥିବା ଜହ୍ନ ହୋଇ ଆସ
ମୁଁ ଯେବେ କ୍ଳାନ୍ତ ହୁଏ ଅଗଣାଟେ ହୋଇ।
ତୁମେ ଏକ ପ୍ରଗଳ୍ଭ ମୁହୂର୍ତ୍ତରେ
ସମାଧାନର ସୂତ୍ରଟିଏ ହୋଇ ଆସ
ମୁଁ ଯେବେ ଧନ୍ଦି ହୁଏ ପ୍ରଶ୍ନଟିଏ ହୋଇ
ତୁମେ ଏକ ନତମୁଖ ଚେହେରା ଆଗରେ
ପ୍ରେମର କାହାଣୀଟିଏ ହୋଇ ଆସ
ମୁଁ ଯେବେ ଖୋଜୁଥାଏ ପ୍ରଣୟିନୀ ହୋଇ।

