ପ୍ରଣାମ ହେ ମହାବାହୁ
ପ୍ରଣାମ ହେ ମହାବାହୁ
କର୍ମରେ ରହିଛି ଭାବବି ଜାଣିଛି
ଧର୍ମବି ଜାଣିଛି ମୁହିଁ ,
କିନ୍ତୁ ଦୁହିତାର ଦୁଇ କୂଳ ହିତ
ପ୍ରଥମ ଧର୍ମ ମୋ ପାଇଁ ।
ତୋ ବଡ଼ ଦେଉଳ ଯାଇ ପାରୁନାହିଁ
ଦୁଆରେ ଦେଉଛି ଝୋଟି ,
ପଞ୍ଚ ମୁରୁଜ ମୁଁ ଚଉଁରାରେ ଲେଖି
ମୁଣ୍ଡରେ ମାରିଛି ମାଟି ।
ଏ ଭବ ବନ୍ଧନ ତୋର ଦିଆ ଦାନ
ବେଶି ଆଶା କରିନାହିଁ ,
ଯେତିକି ଦେଇଛୁ ସେତିକି ପ୍ରାରବ୍ଧ
ପୂର୍ଣ୍ଣତା ପୁଣ୍ୟ ମୋ ପାଇଁ ।
ବଡ଼ ଭକତ ମୁଁ ନୁହଁରେ ତୋହର
ପଦେ ପଦେ ହେବୁ ସାହା ,
ମାନବର ସେବା ମାଧବର ସେବା
ଏହି ମୋ ଜୀବନ ରାହା ।
ଜୀବ ଦୟା ଭାବ ରଖିଛି ମନରେ
ପୁଣ୍ୟ କାର୍ତ୍ତିକ ମହତ୍ତ୍ୱ ,
ତାଙ୍କରି ଖୁସିରେ ତାଙ୍କରି ଆଖିରେ
ଦିଶେ ମତେ ତୋର ସତ୍ତ୍ଵ ।
ଘଣ୍ଟା ଘଣ୍ଟା ଧରି ପୂଜା କରି ନାହିଁ
ସଙ୍କୀର୍ତ୍ତନ କରି ନାହିଁ ,
ତୋ ନାମ ରସକୁ ଅନ୍ତରେ ସୁମରି
ଶରଣ ମାଗୁଛି ମୁହିଁ ।
ଯେତେ ଦିନ ଥିବି ଏ ଧରା ଧାମରେ
ତୋର କୃପା ଟିକେ ଦେବୁ ,
ସେବା ସର୍ବଶ୍ରେଷ୍ଠ ପ୍ରଥମ କର୍ତ୍ତବ୍ୟ
ଶେଷ ଯାଏ ଚଳାଇବୁ ।
ତୋର କୃପାପାଇଁ ଲୋଡ଼ାନାହିଁ ମୋର
ଜ୍ଞାନ, ଧ୍ୟାନ ପ୍ରୟୋଜନ ,
ଯେତିକି କରମ ଧରମକୁ ଚାହିଁ
ସେତିକି ମୋ ଆୟୋଜନ ।
ଏତିକି ଅଳି ମୋ ରଖିବୁ କାଳିଆ
ଦୁଃଖ ଦେବୁନି କାହାକୁ ,
ମୋ ଜୀବନ ପଛେ ନେବୁରେ କାଳିଆ
ପ୍ରଣାମ ତୋର ପାଦକୁ ।
ଯଦି ତୋର ଦୟା ହେବରେ କାଳିଆ
ସେବା କାର୍ଯ୍ୟ କରୁ କରୁ ,
ନଶ୍ୱର ଦେହରୁ ଆତ୍ମା କାଢ଼ି ନେବୁ
ଅପରାହ୍ନ ଗୋଧୂଳିରୁ ।
ସବୁରି ଆତ୍ମାରେ ତୋ ଆତ୍ମା ବସିଛି
ଅନୁଭବ ଏଇ ରହୁ ,
ସବୁ ମାସ ମୋର କାର୍ତ୍ତିକ ମାହାତ୍ମ୍ୟ
ପ୍ରଣାମ ହେ ମହାବାହୁ ।