STORYMIRROR

Bidyadhar Mantry

Abstract Romance Classics

3  

Bidyadhar Mantry

Abstract Romance Classics

ପ୍ରକାରାନ୍ତରେ ପ୍ରେମ

ପ୍ରକାରାନ୍ତରେ ପ୍ରେମ

3 mins
219

ପବିତ୍ର ପ୍ରେମର ପରିଭାଷା ନିହାତି କଠିନ

କଠିନ ଆହୁରି ପ୍ରେମ ପବିତ୍ର ସହ ସଂଜ୍ଞା ନିରୂପଣ

ଅଭିଧାନ ପ୍ରବନ୍ଧ ପ୍ରବଚନ ରୋମନ୍ଥନ ପରେ

ସମ୍ୟକ୍ ଧାରଣା ଉଦ୍ରେକ ହୁଏ ମନ ମନ୍ଦିରରେ

କିଏ କହେ ପ୍ରେମ ଶାଶ୍ଵତ ସ୍ୱର୍ଗୀୟ ସତ୍ୟ ସନାତନ

କିଏ କହେ ଅବ୍ୟକ୍ତ,ଅମାପ,ଅସୀମ ପୁଣି ଚିରନ୍ତନ

ପ୍ରକାର ଭେଦରେ ବି ପରିବ୍ୟାପ୍ତ ପ୍ରେମ

ବିଭାଜନ ଓ ଛେଦନ କ୍ରିୟାରେ ବି ପ୍ରେମ

ବିସ୍ତାର ଓ ସଂଯୋଗ କରିବାରେ ପ୍ରେମ

ସମ୍ପୂର୍ଣ ପୂର୍ଣ୍ଣ-ପ୍ରେମ ପୁଣି ଅନାବିଳ ପ୍ରେମ

ଶୂନ୍ୟ ସ୍ଥାନ ପୂରଣ କରିବାରେ ବି ପ୍ରେମ

ଯେଉଁ ପ୍ରେମ ସ୍ଵତନ୍ତ୍ର,ତାହା ଅତି ପରିଚିତ

ପ୍ରେମ ପାଖରେ,ଦୁନିଆର ଅନୁଭବ ହିଁ ସ୍ଵତନ୍ତ୍ର।


କେଉଁଠି ପ୍ରେମରେ ଇଚ୍ଛା ପୂରଣ ହୋଇ ବି ଅଧୁରା

କେଉଁଠି ପ୍ରେମରେ ଇଚ୍ଛା ପୁରାପୁରି ସମ୍ପୂର୍ଣ୍ଣ ନିଆରା

କେଉଁଠି ପ୍ରେମରେ ହରାଇବା ଠୁ ସ୍ଵାଧୀନତା ଡର

କେଉଁଠି ପ୍ରେମରେ,ସ୍ଵାଧୀନତା ସମ୍ପୂର୍ଣ୍ଣ ପ୍ରେମର        

କେଉଁଠି ପ୍ରେମ ଖାଲି ଥିବା ହୃଦୟ ପୂରଣ

କେଉଁଠି ପ୍ରେମ ,ହୃଦୟ ଭରା ପ୍ରେମ ଅନନ୍ୟ

କେଉଁଠି ପ୍ରେମ କେବଳ କଥାବାର୍ତ୍ତା ରେ ସୀମିତ

କେଉଁଠି ପ୍ରେମରେ କିଛି ଭିନ୍ନତା ନାହିଁ ତିଳେ ମାତ୍ର

କେଉଁଠି ପ୍ରେମ ସମୟ ଓ ଦୂରତା କୁ ବଦଳାଏ

କେଉଁଠି ପ୍ରେମ ସବୁଠୁ ସମ୍ପୂର୍ଣ୍ଣ ଥିବା ଦର୍ଶାଏ।


ପ୍ରେମ ,ପୂର୍ଣ୍ଣିମା ର ଚାନ୍ଦ ପରି ଅନୁଭବ ମାତ୍ର

ସେହି ଚାନ୍ଦ ର ଅନୁଭବ କିଛି ରହିଛି ସ୍ଵତନ୍ତ୍ର

ମଦ୍ୟ ପାନରେ ନିଶା ପରି ମୋହଗ୍ରସ୍ତ ପ୍ରେମ

ପ୍ରେମର ପରିଚୟ ହିଁ ସୁରାର ସାଗର ସାମ

ପ୍ରେମରେ ମଧୁର ସୁଗନ୍ଧ,ମାଦକତା ପୂର୍ଣ୍ଣ

ପ୍ରେମ,ନୀରବରେ ଉଡୁଥିବା ପକ୍ଷୀ ସମାନ 

ପ୍ରେମରେ ବି ଅଗ୍ନି ର ସାଗର ଅଛି ଭରି

ପ୍ରେମ,କାଦୁଅରେ ଖେଳୁଥିବା ପିଲା ପରି

ପ୍ରେମ,ବିନା କାରଣରେ ହସୁଥିବା ଓଠ ସମ

ପ୍ରେମକୁ ହୃଦୟଙ୍ଗମ କରିବା ମଣିଷର ଧର୍ମ

ପ୍ରେମ,ଅଯଥା ଗର୍ଜନ କରୁଥିବା ଯୁବକ ସମାନ 

ପ୍ରେମ ଅଢ଼େଇ ଅକ୍ଷର କେବଳ ନୁହଁଇ ମିଶ୍ରଣ

ପ୍ରେମ ତ ଭାବ ଦିଆନିଆ ଲୁଚକାଳି ପରି ଖେଳ

ପ୍ରେମ-ପରିଭାଷା ଜ୍ଞାନ ବିନା ହୁଏ ପ୍ରେମ ଖେଳ  

ପ୍ରେମ ର ପରିଭାଷା ଅଛି,ସଜ୍ଞା ବି ରହିଛି

ପ୍ରେମ-ପରିଭାଷା ର ମହକ ରହିଛି ରହୁଛି 

ପ୍ରେମର ସଂଜ୍ଞା ଓ ପରିଭାଷା କିଏ ବା ବୁଝୁଛି 

ଯଦିଓ ବୁଝିଛି,ବୁଝାଇବାରେ ବିଫଳ ହୋଇଛି ।

ପ୍ରେମ ନୁହେଁ ତିକ୍ତ ଅନୁଭବ ଅବା ମତିଭ୍ରମ

ପ୍ରେମ ଏକ ସୀମାହିନ ସିଧା ରେଖା ସମ

ପ୍ରେମ ଏକ ଜ୍ୱଳନ୍ତ ଦୀପ ଶିଖା ଆଲୋକର ଧାରା

ପ୍ରେମରେ ଅଦମ୍ୟ ସାହସ ଓ ସମ୍ପର୍କ ନିଆରା

ପ୍ରେମ ଏକ ସମ୍ଭାବନାର ସ୍ମୃତି ଫଳକ ମାତ୍ର

ପ୍ରେମ ଏକ ନିଷ୍କପଟ ନିଃସ୍ବାର୍ଥ ବିଶ୍ୱାସର ସୁତ୍ର

ପ୍ରେମ ହିଁ ନିଷ୍ଠା ଓ ଭରଷା ର ନିଛକ ପ୍ରତୀକ

ମାଆର ବାତ୍ସଲ୍ୟତା ପରି ଅମୃତ ପରଶ ମହକ

ପ୍ରେମ ହିଁ ସହନଶୀଳତା ତ୍ୟାଗର ମୂରତି

ପ୍ରେମ ସବୁଜିମା ଭରା ମନୋରମ ଦୃଶ୍ୟ ଅତି

ଋଣ ପରିଶୋଧ ର ମାଧ୍ୟମ ହିଁ ପ୍ରେମର ବଚନ

ପ୍ରେମ ଚିରନ୍ତନ ସତ୍ୟ,ନିର୍ମଳ ,ପବିତ୍ର ଅନନ୍ୟ

ପ୍ରେମ ହିଁ ସତ୍ୟ ଶିବ ସୁନ୍ଦର ଏକତ୍ର

ଦୁଇ ଟି ଆତ୍ମା ମିଳନର ଚିତ୍ର ଚରିତ୍ର

ପରିବ୍ୟାପ୍ତ ପ୍ରେମ ,ଯେବେ ଭାବରେ ଭାବ ଏକତ୍ର

 ବିଶ୍ୱାସ ସହିତ ହୃଦୟର ଭାବ ନିହାତି ଜଡ଼ିତ।

ପ୍ରେମର ସମ୍ପର୍କ ଡୋରୀରେ ଅନ୍ଧ ଓ ପାଗଳ

ଦେହର ଭୋକ ନିବାରଣ ପାଇଁ ଯଦି ହୁଏ ଖେଳ

କୁକର୍ମ ର ଶିକାର ଧାରାରେ ହୋଇଥାଏ କାଳ 

ପରେ ପରେ ଅବାଞ୍ଛିତ ଗର୍ଭ ପ୍ରେମରେ ପ୍ରେମରେ

କଳଙ୍କ ର ଆଖ୍ୟା,ପରିବାର ସମାଜ ଦୃଷ୍ଟିରେ।


ଜହ୍ନରେ କଳଙ୍କ ,ଖାଲି ଆଖିରେ ବି ଥୟ 

ରାଧା ମୀରା ପ୍ରେମରେ ଅଧିର,ପାଗଳି ପ୍ରାୟ

ପ୍ରେମରେ କଳଙ୍କ ,କହୁଛି ପୁରାଣ ବର୍ଣ୍ଣନ

କୈକେୟୀ କଳଙ୍କ ପାଇଁ ରାମ ବନବାସେ ଦିନ

ଅହଲ୍ୟା କଳଙ୍କ ପାଷାଣ ରୂପ ଥିଲା ବହି

ସୀତା କଳଙ୍କ ମୁକ୍ତ ଅଗ୍ନି ପରୀକ୍ଷା ଦେଇ

କଳଙ୍କ ର ଟୀକା କେବଳ ନାରୀର ମଥାରେ

କଳଙ୍କ କାଳିମା ଆଖ୍ୟା ଅଛି ଆମ ସମାଜରେ।


ପ୍ରେମ ପାଇବାର ଏକ ଅଭିଳାଷା

ଅବ୍ୟକ୍ତ ପବିତ୍ର ପ୍ରେମର ପରିଭାଷା

ପ୍ରେମ ଚିର ସ୍ରୋତସ୍ଵିନୀ ଜଳ ଧାରା 

ପ୍ରେମରେ ବିରହିଣୀ ଥିଲେ ରାଧା ଆଉ ମୀରା

ତ୍ୟାଗ ସମର୍ପଣ ହିଁ ପବିତ୍ର ପ୍ରେମର ପ୍ରତୀକ

ପ୍ରେମରେ ହିଁ କୃଷ୍ଣ ପ୍ରାପ୍ତି,ହୁଏ ଜୀବନ ସାର୍ଥକ।


ପ୍ରେମରେ କଳଙ୍କ ଭାରି ଭୟଙ୍କର ଚିତ୍ର

ସମାଜ ଆଗରେ ଅପରାଧୀ,ଦୋଷୀ ମାତ୍ର

କଳଙ୍କିନୀ ର ଆଖ୍ୟା ପ୍ରେମିକା କରୁଛି ବହନ 

ପ୍ରେମିକ ର କଥା କେହି କରିବେନି ଉଚ୍ଚାରଣ

ଅପ୍ରିୟ ସତ୍ୟ ଯୁଗ ଯୁଗ ଧରି କଳଙ୍କ ର ବ୍ୟାଖ୍ୟା

ବଞ୍ଚିଥିବା ଯାଏଁ ରହିଛି ରହୁଛି କଳଙ୍କିନୀ ଆଖ୍ୟା

ଦୁର୍ବଳ ମାନସିକତା ସଭ୍ୟ ସମାଜରେ ରହିଅଛି

କଳଙ୍କ ଆଢ଼ୁଆଳେ ନିର୍ଯ୍ୟାତନାର ଚିତ୍ର ବି ରହିଛି

ପ୍ରେମ ର ନାଁ ଭୁଲିଯାଏ, ସେହି ଅସହାୟ ପ୍ରେମିକା

ପ୍ରେମକୁ ଛାତିରେ ଚାପି ବଞ୍ଚୁଅଛି ଏକା


ପ୍ରେମ ଅଢ଼େଇ ଅକ୍ଷର ସୁନ୍ଦର

ଗୌରବ ସହିତ ମହିମା ଅପାର

ହୃଦୟ ଯୋଡିବା କାମରେ ପ୍ରେମ ଆଗଭର

ଦୁଇ ହୃଦୟ ମିଳନରେ ପ୍ରେମ କାରବାର

ସମର୍ପଣ ମନୋଭାବ ରହିଲେ ନିଜର

ପ୍ରେମ ପରିଭାଷା ର ନାହିଁ ପଟାନ୍ତର।


ହୃଦୟ ର ଶୂନ୍ୟତା ରେ ମନ ବି ଅସ୍ଥିର

ପ୍ରେମ ଭରିଦିଏ ସଙ୍ଗୀତର ସ୍ବର

ସଙ୍ଗୀତ ର ମୂର୍ଚ୍ଛନା ସହିତ ପ୍ରେମର ଲହର

ସାତୋଟି ସ୍ଵର ର ସଙ୍ଗମ,ହୃଦୟ ଭିତର

ହୃଦୟ ଖୋଲା ଥିଲେ ଭାବନା ଅପାର 

ସୂର୍ଯ୍ୟ କିରଣ ପରି ପ୍ରେମ ବି ବିସ୍ତାର

ସ୍ଵର୍ଣିମ ଆଲୋକ ପ୍ରଭା ରେ ଦୂର ଅନ୍ଧକାର

ପ୍ରେମର କିରଣ ଠିକ୍ ଚାରୁ ଚନ୍ଦ୍ରମା ର

ସର୍ତ୍ତ ନ ଥିବା ପ୍ରେମରେ ହିଁ ଶାନ୍ତି ଅପାର

ଚନ୍ଦ୍ର ଚକୋର ପୁଣି ଚନ୍ଦ୍ର କଇଁ ର ପ୍ରେମ ଆଧାର।


ଭୁଲ୍ ବୁଝାମଣା ରେ ପ୍ରେମ ହୁଏନି ସାକାର

ଠିକ୍ ମୂଳଦୁଆ ବିହୀନ ଘର ଅବା ବାଲିଘର

ବଦଳି ଯାଇଛି ପରିଭାଷା ନିଛକ ପ୍ରେମର

ମିଳନ ର ଆଢ଼ୁଆଳେ ସ୍ବାର୍ଥ ଆଗ କାରବାର

ଡିଜିଟାଲ ଯୋଗୁଁ ଉନ୍ନତି କରଣ ବି ଅଢ଼େଇ ଅକ୍ଷର

ପ୍ରେମରେ ଅନ୍ତ ଘଟିଛି ଘଣ୍ଟା ଘଣ୍ଟା ଧରି ଅପେକ୍ଷାର


ପ୍ରେମ ଏକ ଭାଵନା ଓ ପବିତ୍ରତା ର ଧାରା

ଲାଭ କ୍ଷତି ବେପାର ନାହିଁ,ଅଛି ଶୁଦ୍ଧ ଚିନ୍ତା ଧାରା

ସ୍ବାର୍ଥ ଚିନ୍ତା ଧାରା,ଲାଭ କ୍ଷତି,ଚୁକ୍ତି ଥିବା ପ୍ରେମ

ପ୍ରେମ ଫୁଲ ଫୁଟିବା ଆଗରୁ ମଉଳିବା ସମ 

କହୁଥିଲେ ଯିଏ, ସାତ ଜନ୍ମ ପାଇଁ ମିଶିକି ରହିବା

ଇଚ୍ଛା ନାହିଁ ,ପରସ୍ପରକୁ ଆଡ ଆଖିରେ ଦେଖିବା।


ଇଣ୍ଟରନେଟ୍ ଚକ୍ରବ୍ୟୁହ ର ଧାରା ଓ ଧାରରେ

ନିବିଡ଼ ସମ୍ପର୍କ ନଷ୍ଟ ହେଉଅଛି ସମୟ କ୍ରମରେ

ପ୍ରେମ ଅଢ଼େଇ ଅକ୍ଷର ରହିଛି ରହିବ

ଗୌରବ ମହିମା ଯୁଗେ ଯୁଗେ ଅଛି ଓ ରହିବ।



Rate this content
Log in

Similar oriya poem from Abstract