ପ୍ରିୟତମା
ପ୍ରିୟତମା
ସୂର୍ଯ୍ୟ ପ୍ରିୟତମା କମଳ କୁସୁମ
ଚନ୍ଦ୍ର ପ୍ରିୟତମା କଇଁ ,
ମୋର ପ୍ରିୟତମା ଗୋଲାପୀ ଗୋରୀଟେ
ତାକୁ ରହିଥାଏଁ ଚାହିଁ ।
ପ୍ରିୟତମା ମୋର ଗୋଲାପ ବଣରେ
ଗୋଟିଏ ଗୋଲାପ କଢି,
ନିତି ସଂଧ୍ୟା ବେଳେ ସେଇ ବଗିଚା ରେ
ବୁଲୁଥାଏ ପିନ୍ଧି ଶାଢ଼ୀ ।
ମନ ଚୋରି କରେ ପ୍ରିୟତମା ମୋର
ହଜିଯାଏ ତାର ସ୍ଵରେ
ତା ପାଦ ପାଉଁଜି ରୁଣୁ ଝୁଣୁ ହେଲେ
ରହି ପାରେନାହିଁ ଘରେ ।
ଧାଇଁ ଯାଏ ସେହି ଗୋଲାପ ବଣକୁ
ଭେଟ ହୁଏ ଦୁହିଁଙ୍କର,
ବୂଲୁଥାଉଁ ଦୁହେଁ ସେହି ବଗିଚାରେ
ମୋର ହାତେ ହାତ ତାର ।
ବରଷା ଛିଟାରେ ଭିଜିଥାଉଁ ଦୁହେଁ
ହାତ ଧରି ପରସ୍ପର,
ରହେ ପ୍ରିୟତମା ମାନସ ପଟରେ
ତୋଳି ଏକ ଅନ୍ତଃପୁର ।

