ପ୍ରିୟାର ଓଢଣୀ
ପ୍ରିୟାର ଓଢଣୀ
ମାୟାବିନୀ ସାଜି ଆସଇ ମୋ ପ୍ରିୟା
ଶରତର ସନ୍ଧ୍ୟାରେ
କାଶତଣ୍ଡୀ ମଧ୍ୟେ ଲୁଚିଯାଏ ସେ
ନାଲି ଓଢଣୀ ତା ଦିଶୁଥାଏରେ ।
ଦେହରୁ ଝରେ ତା ପ୍ରୀତିର ବନ୍ୟା
ଚାଲିଗଲେ ପଦ୍ମ ଫୁଟେ
ନାଲି ରଙ୍ଗର ସେ ଓଢଣୀ ତଳେ
ମୁରୁକି ମୁରୁକି ହସେ ।
ହଲାଇ ଗଛର ପତର ରାଶି
ଆସଇ ଯେବେ ପବନ
ତା ଦେହର ବାସ୍ନା ପାଇବାକୁ ଟିକେ
ପାଗଳ ହୁଏ ମୋ ମନ ।
କାଶତଣ୍ଡୀ ଫୁଲ ଗୀତଗାଇ ନାଚେ
ପ୍ରିୟା ମୋର ଯାଏ ଲୁଚି
ଜହ୍ନ ଆସେ ଉଇଁ ଫୁଟି ଉଠେ କଇଁ
ମୋ ହୃଦୟ କମ୍ପୁଅଛି ।
ଖୋଜି ଖୋଜି ଯେବେ
ପାଏନାହିଁ ତାକୁ
ନାଲି ଓଢଣୀଟିଏ ମୁଁ ପାଏ
କେବେ ଫେରିବ ମୋ ଅପସରି ପ୍ରିୟା
ଦିନ ଗଣି ହେଉଥାଏ ।
ସେ ନାଲି ଓଢଣୀ ସ୍ମୃତି ଯେ ମୋହର
ମୁଁ ଯେ ବେସାହାରା ପ୍ରେମିକ
ଆରମ୍ଭ ହଉ ହଉ ଭାଙ୍ଗିଗଲା ମୋର
ପ୍ରେମର କୋଣାର୍କ ।

