ପ୍ରୀତିସୁଧା
ପ୍ରୀତିସୁଧା
ଧୀରେଧୀରେ ଜହ୍ନ ଉଠୁଥିଲା
ଟିକେ ଟିକେ କଇଁ ଫୁଟୁଥିଲା
ତୁମ ଖିଲିଖିଲି ଲାଜୁଆ ହସରେ
ସେଇ ସହକାର ବଉଳ ବାସରେ
କବରୀର ବାସ ଛୁଟୁଥିଲା ।
ଶାନ୍ତ ସମୀରଣ ବହୁଥିଲା
ତାରାଫୁଲ କଥା କହୁଥିଲା
ସେଇ ସଞ୍ଜବେଳ ବିଜନ ବେଳାରେ
ତୁମେ ଥିଲ ସଖି ମୋହରି କୋଳରେ
ପ୍ରୀତିସୁଧା ମନ ମୋହୁଥିଲା ।
ଜୋଛନାରେ ବନ ଭିଜୁଥିଲା
କଳାମେଘି ପାଟ ସାଜୁଥିଲା
କୃଷ୍ଣଚୁଡାର ସେ ନାଲି ଓଢଣୀରେ
ଅତର ସୁଗନ୍ଧି ଚହଟା ବାସରେ
ତୁମ ସାଥେ ଖେଳ ମଜ୍ଜୁ ଥିଲା ।
ଚାଲିଗଲା କାହିଁ ସେହିଦିନ
ଝୁରେ ସଖି ତୋତେ ରାତିଦିନ
ସେଇ ମିଠାମିଠା ଗୋପନ ପ୍ରଣୟ
ପ୍ରୀତିପ୍ରକ୍ଷାଳନେ ଛାଡି ଲାଜ ଭୟ
ସପନ ପିଆସୀ ଏଇ ମନ ।