ଫଗୁଣ ଆସିଛି
ଫଗୁଣ ଆସିଛି
ମଳୟକୁ ସାଥେ ନେଇ,
ଫଗୁଣ ଆସିଛି,
ପ୍ରୀତି ରଙ୍ଗେ ଧରାକୁ ଦେବ ରଙ୍ଗାଇ,
କାକର ଭିଜା ସକାଳ ଟା ମହକି ଉଠୁଛି ।।୧।।
ବଉଳ ର ଭୁରୁ ଭୁରୁ ଗନ୍ଧେ,
କୋଇଲିର ସପ୍ତ ସୁରେ,
ଫଗୁଣ ଆସିଛି ପିରତୀ ପରଶେ,
ଭରିଦେବ ଶିହରଣ ତନୁ ମନେ।।୨।।
ପଲାଶ ବନେ ପ୍ରେମାଗ୍ନି ଜଳାଇ,
ଫଗୁଣ ଆସିଛି ସାତ ରଙ୍ଗ ନେଇ,
ଫୁଲେ ଫୁଲେ ମହକ ଛୁଟାଇ,
ଧାନ୍ୟ କ୍ଷେତ୍ରେ ସୁନେଲୀ ପଣତ କାନି,
ସତେ କି କିଏ ଦେଇଛି ଢାଙ୍କି,
ଚାଷୀ ମୁଖେ ହସ ଖେଳାଇ।।୩।।
ରାଧା ହୁଏ ବାଇ କଳାକାହ୍ନୁ ଯେବେ,
ବଇଁଶୀ ର ସୁରେ ସୁରେ,
ଡାକେ 'ରାଇ' 'ରାଇ' କଦମ୍ବ ମୂଳେ,
କୁଞ୍ଜବନେ ଛନ୍ଦାଚରଣର ପାଉଁଜି ଶୁଭେ,
ଫଗୁଣ ବତାସେ,ଗଗନେ ପବନେ,
ପ୍ରୀତି ରଙ୍ଗ ସତେ କିଏ ବୋଳି ଦିଏ।।୪।।
ଫଗୁ ର ରଙ୍ଗେ ଫାଲଗୁନ ହସୁଛି,
ଝରା ପତ୍ର ର ମର୍ମର ଶବଦ ଶୁଭୁଛି,
ତଟିନୀ ଜଳେ କୁମୁଦିନୀ ହସୁଛି,
ଜହ୍ନ ଜୋଛନା ର ପ୍ରୀତି ଛୁଆଁ ପାଇ,
ବସୁଧା ରାଣୀ ଲାଜୁଆ ନୟନେ ଚାହିଁଛି,
ରାଇ,ଦାମୋଦର ପ୍ରୀତି ଛିଟା ନେଇ,
ଫଗୁଣ ଆସିଛି, ପ୍ରୀତି ରଙ୍ଗେ ସଭିଙ୍କୁ ଦେବ ରଙ୍ଗାଇ।୫।।

