STORYMIRROR

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

ରଜନୀ ପାହିଛି

ରଜନୀ ପାହିଛି

1 min
244

ରଜନୀ ପାହିଛି ଏବେ ହୋଇଛି ପ୍ରଭାତ l

ପୂର୍ବ ଆକାଶେ ଅରୁଣ ଆଭା ପ୍ରକଟିତ ll

ଲୁଚିଲେଣି ସରଗରୁ ତାରା ଗୋଟିଗୋଟି l

ଡାମରା ଡାକରା ବୁଲେ କାଆ କାଆ ରଟି ll

ଦେବାଳୟୁ ଭାସିଆସେ ପ୍ରଭାତୀ କୀର୍ତ୍ତନ l

ପୁଷ୍ପ ଚୁମି ବହିଲାଣି ମନ୍ଦ ସମୀରଣ ll

ପଦ୍ମବନେ ବୁଲିଲେଣି ମାଳ ମାଳ ଅଳି l

କଜ୍ଵଳ ପତ୍ରୀର ଶୁଭେ ମଧୁର କାକଳି ll

କୁକ୍କୁଟ ଡାକନ୍ତି ଆହେ ପ୍ରଭୁ ଚକ୍ରଧାରୀ l

ହୀନ ପକ୍ଷୀ ଜନମରୁ ବେଗେ କର ପାରି ll

ବଂଶକୁଞ୍ଜେ ବେଦଧ୍ୱନୀ କରେ କୁମ୍ଭାଟୁଆ l

ମାଆ ମାଆ ଡାକିଲେଣି କୁନି କୁନି ଛୁଆ ll

ପୂର୍ବ ଦିଗବଳୟେ ଉଦେ କଶ୍ୟପଙ୍କ ସୁତ l

ଭକ୍ତି ଭରେ ଯୋଡ଼ହସ୍ତେ କର ଦଣ୍ଡବତ ll

ସକଳ ଶକ୍ତି ଆଧାର ହେ ସୃଷ୍ଟି କାରଣ l

ନମସ୍ତେ ଦେବ ଭାସ୍କର ସୂର୍ଯ୍ୟନାରାୟଣ ll

ତବ ଆଲୋକରେ କର ହୃଦ ମୋ ପ୍ରକାଶ l

ବସ ମୋ ହୃଦୟେ ଛାୟାକାନ୍ତ ଜଗଦୀଶ ll

 ପ୍ରଭାତ ପ୍ରଣତି କରେ ସୂର୍ଯ୍ୟ ନମସ୍କାର l

 ନମସ୍ତେ ନମସ୍ତେ ବିଶ୍ୱ ଚକ୍ଷୁ ଦିବାକର ll


Rate this content
Log in

Similar oriya poem from Abstract