ହସ ଦିବସ
ହସ ଦିବସ
ମେ ମାସର ପ୍ରଥମ ରବିବାରଟି
ଅଟଇ ହସ ଦିବସ
ଉଣେଇଶ ଅଠାନବେ ମସିହାରୁ
ପାଳୁଛି ଏହାକୁ ବିଶ୍ୱ ।
ଡକ୍ଟର ମଦନ କଟାରିଆ ଙ୍କର
ନେତୃତ୍ୱେ ମୁମ୍ବାଇ ଠାରେ
ପ୍ରଥମେ ପାଳିତ ହେଲା ଜାତି, ଧର୍ମ
ବର୍ଣ୍ଣର ନିର୍ବିଶେଷରେ ।
ହସ ଯୋଗ ଆନ୍ଦୋଳନ କଟାରିଆ
କରିଥିଲେ ଯେ ଆରମ୍ଭ
ହସିଲେ ଶରୀର ସୁସ୍ଥ ରହେ ଜାଣ
ଦୂର ହୋଇଯାଏ ରୋଗ ।
ଦୀର୍ଘ ଜୀବନର ରହସ୍ୟ ଯେ ହସ
ଜାଣିଛି ଯେଉଁ ମନୁଷ୍ୟ
ତା ମୁଖରୁ ଛୁଟେ ହସର ଜୁଆର
ହୁଏନି କେବେ ଉଦାସ ।
ଯନ୍ତ୍ରଣାକୁ ହ୍ରାସ କରି ଥାଏ ହସ
ବୃଦ୍ଧି କରେ ମନୋବଳ
ରକ୍ତ ସଂଚାଳନକୁ ସୁଗମ କରେ
ଶରୀର ରଖେ ଚଞ୍ଚଳ ।
ରୋଗ ପ୍ରତିରୋଧକାରି ଶକ୍ତି ପୁଣି
ମିଳିଥାଏ ହସ ଠାରୁ
ଉଦାସୀନତା କୁ ଦୂର କରିଥାଏ
ଚିନ୍ତା ଦୁରାଏ ମନରୁ ।
ହସିକରି ପଦେ କଥା କହିଦେଲେ
ଶତ୍ରୁ, ମିତ୍ର ହୋଇଯାଏ
ସବୁଠାରୁ ଶ୍ରେଷ୍ଠ ଔଷଧ ଯେ ହସ
ସର୍ବ ରୋଗ ଦୂର ହୁଏ ।
ଦୂରରୁ ବନ୍ଧୁଙ୍କୁ ସ୍ୱାଗତ କରନ୍ତି
ମୁହଁରେ ହସ ଫୁଟାଇ
ହସ ମୁହଁ ଦେଖିଦେଲେ ବନ୍ଧୁଙ୍କର
ମନରେ ଶାନ୍ତି ଆସଇ ।
କିଏ କେତେଦିନ ରହିବ ମହୀରେ
ସେ କଥା ହେବନି କହି
ଯେତେଦିନ ବଞ୍ଚିଥିବା ଦୁନିଆଁ ରେ
ଆନନ୍ଦରେ ଥିବା ରହି ।
ହସ, ଖୁସି, ସ୍ନେହ, ଶ୍ରଦ୍ଧା ଘର ଟିଏ
ଅଟଇ ସରଗ ପୁର
ସେହିଘର ରେ ଯେ ଶାନ୍ତି ବିରାଜଇ
ରହନ୍ତି ପରମେଶ୍ୱର ।
ହସ ପସରାରୁ ପ୍ରେମ ପ୍ରୀତି ଧାରା
ବାଣ୍ଟିଯାଆ ଧରିତ୍ରୀରେ
ସମସ୍ତଙ୍କୁ ମୋର ଏହି ଅନୁରୋଧ
ଆଜି ହସ ଦିବସରେ ।

