ପ୍ରୀତିର ଆହ୍ବାନ
ପ୍ରୀତିର ଆହ୍ବାନ
ଆସ ଦୁହେଁ ଉଡିଯିବା ଦୂର ଆକାଶକୁ
ପୀରତିରେ ଭିଜୁଥିବା ନ ଡରି କାହାକୁ ।
ସୁରୁଜ ଉଇଁଲେ ମନେ ଜାଗୁଥିବ ଆଶା
ଦୂର ହେଇଯାଉଥିବ ସକଳ ନିରାଶା ।
ତାରାମେଳେ ବୁଲୁଥିବା ସବୁ ଭୁଲିଯାଇ
ଜହ୍ନ କୋଳେ ବସୁଥିବା ପାଖାପାଖି ହୋଇ ।
ମେଘ ସାଥେ ନାଚୁଥିବା ଗାଉଥିବା ଗୀତ
ବିଜୁଳିର ଚମକରେ ହୋଇ ରୋମାଂଚିତ ।
ଇନ୍ଦ୍ରଧନୁ ଇସାରାରେ ପ୍ରେମରଙ୍ଗ ମାଖି
ତୋଳୁଥିବା ବସାଟିଏ ହାତେ ହାତ ରଖି ।
ନଥିବ କାହାରି ଭିଡ଼ ଅବା କୋଳାହଳ
ଶାନ୍ତିରେ ମନର ତଳେ ପ୍ରେମ ହେବ ଠୁଳ ।
ରାତ୍ରି ଶେଜେ ଶୋଉଥିବା ବହଳ ନିଦରେ
ବିତୁଥିବ ସାରା ରାତି ପ୍ରୀତି ପ୍ରଣୟ ରେ ।
ସୂରୁଜର ଆଗମନେ କଅଁଳ ମନରେ
ଢେଉ ଖେଳୁଥିବ ଆଶା ଆମ ପରାଣରେ ।
ତନୁ ମନ ହୃଦେ ଥିବ ପ୍ରୀତି ସମର୍ପଣ
ପ୍ରତାରଣା ଛଳନାର ନଥିବ ଯେ ଚିହ୍ନ ।
ମୁକ୍ତିର ମହକେ ଭରି ହସିବ ଜୀବନ
ଶୁଭୁଥିବ କର୍ଣ୍ଣେ ସଦା ପ୍ରୀତିର ଆହ୍ବାନ ।

