ପ୍ରୀତି ସ୍ଵାକ୍ଷର
ପ୍ରୀତି ସ୍ଵାକ୍ଷର
ହୃଦୟ ବୀଣାରେ ଗୋଧୂଳୀ ଲଗନେ,
ବିହ୍ଵଳିତ ମନ ତଳେ
ପ୍ରୀତିର ସ୍ଵାକ୍ଷର ପ୍ରେମର ରାଗିଣୀ,
ଅମୃତ ଛନ୍ଦ ତୋଳେ ।
ଆର୍ଦ୍ରଆତୁର ସନ୍ତାପିତ ପ୍ରାଣେ,
ଆଲକ୍ତ ଅଳିନ୍ଦ ଡେଇଁ
ଯେଉଁ ଦିନ ତୁମ ପଦଯୁଗଳ,
ଆସିଲା ଦରଜା ଦେଇ ।
ଆତ୍ମ ବୃନ୍ଦାବନେ ମୋହନ ମୁରଲୀ,
ଛୁଇଁ ଛୁଇଁ ଗଲା ମୋତେ
ଉଜାଣି ବହିଲା ପ୍ରୀତିର ଯମୁନା,
ଅଦିନେ କଦମ୍ବ ଫୁଟେ ।
ସ୍ୱପ୍ନାତୁର ଆଖି ଗବାକ୍ଷ ଫାଙ୍କରେ,
ଖୋଜେ ତୋର ଚାନ୍ଦ ମୁହଁ
ଅନୁବନ୍ଧନର ପ୍ରଣୟ ରାଗରେ,
ଅବଗାହିତ ମୋ ଦେହ ।
ଜୀବନର ଏହି ପାନ୍ଥଶାଳା କାନ୍ଥେ,
ଚିତ୍ରିତ କରିଛି ନାଆଁ
ସୀମିତ ସୀମlନ୍ତେ ଅଙ୍ଗାରେ ଲେଖା
ପ୍ରୀତି ମୁଲକର ଗାଁଆ ।
କେତେ ଅନାଗତ ବ୍ୟଥିତ ଯନ୍ତ୍ରଣା,
ଅଭିମାନ ପ୍ରତିଶ୍ରୁତି
ପ୍ରୀତିର ସ୍ଵାକ୍ଷର କାଳିମା କାଳିରେ,
କରିଦେଲ ପ୍ରିୟା ଇତି ଇତି ।