ପ୍ରୀତି ଦୁଲାଳୀ
ପ୍ରୀତି ଦୁଲାଳୀ
ଲେଖୁଛି ଗୋ ରାଧା ତୁମପାଇଁ ପ୍ରେମ
ପିଆଲାରୁ ଦୁଇଧାଡ଼ି ,
ପଲକେ ପଲକେ ମୋତେ ମାରୁଅଛି
ମୋ' ପ୍ରେମର ଘଡଘଡି ।
କେତେବେଳେ ରାଧା କେବେ ପୁଣି ମୀରା
କେବେ ସତେ ମୋ' ରୁକ୍ମିଣୀ ,
ପ୍ରୀତି ଓଢଣୀକୁ ପଣତରେ ଧରି
ନେଲ ମୋର ମନ କିଣି ।
ଯମୁନା ନଈ ବି ଉଛୁଳି ଉଠିଲା
ତୁମ ପ୍ରେମ ଉଜାଣିରେ ,
କାହିଁକି ଲୋ ସଖୀ ଏତେ ନିରିମାଖି
ଯମୁନା ତୁମକୁ ଝୁରେ !
ଦୂର ପ୍ରେମ ସତେ ମଧୁର ମଧୁର
କିଏ ବା ବୁଝି ପାରିବ ,
କୁମୁଦିନୀ ଅବା ଚନ୍ଦ୍ରକୁ ପଚାର
କେ' ଆଉ କହି ପାରିବ ?
କଳାମେଘ ଦେଖି ମୟୂରୀ ନାଚଇ
ପ୍ରେମରେ ହୋଇ ପାଗଳୀ ,
ଆଉ କାହା ପ୍ରେମ ସରି ହୋଇବ କି
ତୁମେ ଯେ ପ୍ରୀତି ଦୁଲାଳୀ !
ଯିବି ମୁଁ ଯିବି ଗୋ ଧାଇଁ ଧାଇଁ ଯିବି
ଜଗିଛି ସେ ମୁହୂର୍ତ୍ତକୁ ,
ରଥ ନାହିଁ ମୋର ରଖିଛି ହୃଦୟ
ଆଣି ପାରିବି ତୁମକୁ ।
ରାଧା ହୁଅ ଅବା ମୀରା କି ରୁକ୍ମିଣୀ
କରିନିଅ ଗଳା ମାଳି ,
ଧନ୍ୟ ହେବ ମୋର ଦୁର୍ଲଭ ଜନମ
ହୋଇ ତୁମ ବନମାଳୀ ।
କୃଷ୍ଣ ତ ମୁଁ ନୁହେଁ ନ୍ୟୂନ ମାତ୍ର କବି
ମୋ କାବ୍ୟର କବୟିତ୍ରୀ ,
ରାଧା ମୀରା ନୁହଁ ରୁକ୍ମିଣୀ ବି ନୁହଁ
ମୋ' କବିତା,ମୋ' ଗାୟତ୍ରୀ !
ଗାୟତ୍ରୀ ମନ୍ତ୍ରର ମୃଦୁ ଧ୍ୱନି ସିନା
ପ୍ରାଣକୁ ପବିତ୍ର କରେ ,
ତୁମରି ସଙ୍ଗୀତ ତୁମରି ସଂସ୍କୃତି
ମୈତ୍ରୀ ବାଢେ ସମାଜରେ ।
ସମାଜେ ନିଜର ନୁହେଁ ନିଜ ମନ
ତୁମେ ତ ମନ ମୋହର ,
ଲେଖୁଛି ଲୋ ରାଧା ଚିତ୍ର ବି ଆଙ୍କୁଛି
ଈର୍ଷା ପଣ ଆକ୍ରୋଶର ।
ଆସ ରାଧା ଆମେ ଚିତ୍ରିଦେଇ ଯିବା
ନୂଆ ରଙ୍ଗ ସମାଜର ,
ନଥିବ କପଟ ନଥିବ ଛଳନା
ଥିବ ଖାଲି ପ୍ରୀତି ସୁର ।
ପ୍ରୀତିରେ ପ୍ରୀତିରେ ରୀତିରେ ନୀତିରେ
ଫୁଲ ଫଗୁଣ ଝରିବ ।
ଉଇଁବ ଗୋ ରାଧା ପ୍ରତ୍ୟୁଷେ ପ୍ରାଚୀରେ
ନୂଆ ସୂରୁଯ ଉଇଁବ !!