ପରୀକ୍ଷାର୍ଥୀଙ୍କ ପାଇଁ
ପରୀକ୍ଷାର୍ଥୀଙ୍କ ପାଇଁ
ପରୀକ୍ଷାରେ ବସ ହରଷ ଚିତ୍ତରେ
ବିଭୁଙ୍କୁ ପ୍ରଥମେ ଡାକି
ପ୍ରଶ୍ନପତ୍ର ଧରି ଆରମ୍ଭରୁ ଶେଷ
ସହଳେ ବୁଲାଅ ଆଖି
ଉପରେ ସୂଚିତ ନିର୍ଦ୍ଦେଶ ଗୁଡିକ
ପଢି ନିଅ ଦେଇ ଧ୍ୟାନ
ପରୀକ୍ଷକ କିଛି ଘୋଷଣା କରିଲେ
ତହିଁ କି ଡେରିବ କାନ
ପ୍ରଶ୍ନ କଡେ କଡେ ଚିହ୍ନ ଦେଇଦିଅ
ଉତ୍ତର ଯାହାର ଜଣା
ସମୟ ସକାଶେ ତରବର ହୋଇ
ଜମାରୁ ନହୁଅ ବଣା
ଶାନ୍ତମନ ହୋଇ ପୂରା ପ୍ରଶ୍ନପତ୍ର
ଭଲଭାବେ ନିଅ ଦେଖି
ଆରମ୍ଭ କରିବ ସଂକ୍ଷିପ୍ତ ପ୍ରଶ୍ନର
ଉତ୍ତର ଗୁଡିକ ଲେଖି
ପରିଷ୍କାର ଆଉ ସ୍ପଷ୍ଟଭାବେ ତୁମେ
ପଦ ସବୁ ଛାଡି ଛାଡି
ଉଚିତ ଉତ୍ତର ଲେଖିବ ପିଲାଏ
ସଳଖ ରଖିବ ଧାଡି
ବିକଳ୍ପ ପ୍ରଶ୍ନର ସୁବିଧା ଯେଉଁଠି
ରହିଛି ଦେଖିବ ଆଗ
ଉତ୍ତର ପତ୍ରିକା ଅଭାବ ପଡିଲେ
ଆବଶ୍ୟକ ସ୍ଥଳେ ମାଗ
ଆଗରୁ ପ୍ରସ୍ତୁତି ସରି ଯାଇଥିବ
କିପାଇଁ କରିବା ଭୟ
ଆଗଭର ହୋଇ ଉପଯୁକ୍ତ ଯାହା
ଲେଖିବାରେ ରଖ ଲୟ
ସରିବା ଆଗରୁ ଛାଡିଛ କି କିଛି
କରିନିଅ ଥରେ ଯାଞ୍ଚ
ସମସ୍ତ ପ୍ରଶ୍ନର ଉତ୍ତର ନିମନ୍ତେ
ଧୀରସ୍ଥିର ହୋଇ ପାଞ୍ଚ
ନିଷ୍ଠା ଅନୁସାରେ ଊଣା ବା ଅଧିକ
ସଫଳତା ଯହିଁ ମିଳେ
ବିଗତ ଦିନର ବିଫଳତା ଭାବି
ଭାଙ୍ଗି ଯିବାନାହିଁ ତିଳେ
ଶ୍ରମ ଓ ସାଧନା ବଳରେ ସଭିଏଁ
କାମ କରି ରଖ ନାମ
ଗୁରୁଜନଙ୍କର ସ୍ନେହ ଆଶୀର୍ବାଦେ
ମିଳୁ ଶୁଭ ପରିଣାମ
