ପରୀ
ପରୀ
ତୁମେ ସୁନ୍ଦରୀ ଅପସରୀ ମାୟାବିନୀ ଜାଦୁଗରୀ
ନିତି ମୋ ଜାଗରଣେ ଆସ ସରଗରୁ ଅବତରୀ
ଅପରୂପା ଅତୁଲ୍ୟା ସୌନ୍ଦର୍ଯ୍ୟ ଭରା ତନୁ ବଲ୍ଲରୀ
ଅପଲକେ ନିମିଷକେ ନିଏ ମୋର ମତି ହରି ।
ତୁମ ଓଷ୍ଠଧାରେ ଫୁଟିଉଠେ ସ୍ମିତହାସ୍ୟର ହଳାହଳ ବିଷ
ତାହାର ସମ୍ମୁଖେ ହାର ମାନେ ସଦା ମୋ ଉଦ୍ଧାମ ପୌରୁଷ
ହୋଇପାରେ ଅଳିକ କ୍ଷଣିକ ନିମିଷକର ଆମ୍ଭର ସାକ୍ଷାତ
ଜାଣେନା କାହିଁକି ମଧୁର ଲାଗେ ଏଇ ଅନିତ୍ୟ ସମ୍ଭୋଗ ।
ଶତ ଚେଷ୍ଟା ସତ୍ତ୍ୱେ ବି ମୁଁ ଏଡ଼ାଇ ପାରେ ନାହିଁ
ତୁମ ଶାଗୁଆ ଶ୍ୟାମଳ ଅଙ୍ଗରାଜିର ଆକର୍ଷଣ
ଜାଗତିକ ସତ୍ତାକୁ ବିସ୍ମରି ତୁମ୍ଭରି ନିବିଡ଼ ସାନିଧ୍ୟେ
ଲଭୁଥାଏ ତୁମ ବାହୁବନ୍ଧନେ ଆକାଂକ୍ଷିତ ନିର୍ବାଣ ।
ହୋଇପାରିଥାଅ ତୁମ୍ଭେ ନାୟିକା ରସିକା କଳ୍ପିତା
ଅବା ଭରି ରହିଥାଉ ତୁମ୍ଭ ପ୍ରୀତିରେ ଆବିଳତା
କିନ୍ତୁ ତୁମ୍ଭେ ଦେଇଥାଅ ମନ ପ୍ରାଣେ ଅପାର ପୁଲକ
ଧୂଳି ଧୂସରିତ ଧରା ପୃଷ୍ଠରେ ଅମରାବତୀର ସୁଖ ।।