ପରିହାସ
ପରିହାସ
କାହାକୁ ଜୀବନେ କେତେବେଳେ ହେଲେ
କର ନାହିଁ ପରିହାସ
ଏଇ ପରିହାସ ଖୁସି କରେ ଶେଷ
ଆଣି ଦିଏ ସର୍ବନାଶ ।
କାହା ଦୁଃଖେ ଯଦି ଆହାଃ ନ କରୁଛ
ବିପଦ ଆଣି ଦିଅନି
କାହାକୁ ସାହାରା ନ ଦେଉଛ ଯାଦି
ଆଶ୍ରା ଛଡେଇ ନିଅନି ।
ଦୁଃଖୀ ଗରିବଟି ବାସ ହୀନ ହେଲେ
ଥଟ୍ଟା କର ନାହିଁ ତାକୁ
ପରିହାସ କେବେ କରନି ତାହାକୁ
ଦେଖି ମଇଳା ଲୁଗାକୁ ।
ଗର୍ବ ଅହଂକାରେ ମତ୍ତ ଭୋଳ ହେଇ
ଦେଖନି ହୀନ ଆଖିରେ
ଆଜିର ଗରିବ କାଲି ବି ତ ଧନୀ
ହେଇ ପାରେ ସଂସାରରେ ।
ଗୁରୁଜନଙ୍କୁ ଯେ ଥଟ୍ଟା ପରିହାସ
କେବେ ବି ତ କର ନାହିଁ
ସେଇ ପରିହାସ ମହଙ୍ଗା ପଡିବ
ସାହା ହେବେ ନାହିଁ କେହି ।
ଭୋଗିବାକୁ ହେବ ତାର ପରିଣାମ
ଯନ୍ତ୍ରଣା ବଢିବ ବେଶୀ
ଜଳି ପୋଡି ଯିବ ସୁଖର ଜୀବନ
ଲିଭି ଯିବ ସବୁ ଖୁସି ।
ଇନ୍ଦ୍ରପ୍ରସ୍ଥ ନଗରୀରେ ଦୁର୍ଯ୍ୟୋଧନେ
ଯାଜ୍ଞସେନୀ ପରିହାସ
ସହି ପାରିଲେନି ସେଇ ଅପମାନ
ଧୃତରାଷ୍ଟ୍ରଙ୍କର ଶିଷ ।
କୂଟ ପଶାଖେଳେ ହରେଇ ଯୁଧିଷ୍ଠି
ବସ୍ତ୍ର ହରଣ କରିଲେ
ଦ୍ରୌପଦୀଙ୍କ ସେଇ ପରିହାସ ପାଇଁ
ଯୁଦ୍ଧେ ଅବତୀର୍ଣ୍ଣ ହେଲେ ।
ସପ୍ତ ଋଷି କୁମାରଙ୍କୁ ପରିହାସ
କରିଲେ ଜୟ ବିଜୟ
ଅଭିଶାପ ପାଇ ରାକ୍ଷାସ ହୋଇଲେ
ପୁଣ୍ୟ ହେଲା ତାଙ୍କ କ୍ଷୟ ।
ଅଷ୍ଟବକ୍ର ଋଷି ଦେଖି ବାବାଜୀଏ
ଉପହାସ ତାଙ୍କୁ କଲେ
କ୍ରୋଧେ ଋଷି ଅଭିଶାପ ତାଙ୍କୁ ଦେଲେ
ଦୃଷ୍ଟି ହୀନ ହେଇଗଲେ ।
ପରିହାସ କେବେ କାହାକୁ କରନି
ଜୀବନ ସେ ଜାଳି ପାରେ
କିଏ କହେ ପାରେ ସେଇ ପରିସ୍ଥିତି
ଆସିବନି ଜୀବନରେ ।
ଗୋଟିଏ ଶରୀରେ ଅନେକ ଯେ ରୋଗ
ରହିଅଛି ଶରୀରରେ
ପରିହାସ କିଆଁ କରିବ କାହାକୁ
ନିଜ ପାଖେ ଘଟି ପାରେ ।
କାହାକୁ ଯେ ଛୋଟ ଭାବ ନାହିଁ କେବେ
କରନାହିଁ ପରିହାସ
ଛୋଟ ଚାରା ଦିନେ ବଡ ତରୁ ହୁଏ
ଆଶ୍ରା କରଇ ମଣିଷ ।
ଯାହାକୁ ଯେମିତି ଗଢିଛି ବିଧାତା
କର ନାହିଁ ପରିହାସ
ସେଇ ପରିହାସ ବଡ ଭୟଙ୍କର
ଜୀବନେ ଭରଇ ବିଷ ।
ହୀନିମାନ କେବେ କାହାକୁ ଦେଖନି
କରନି ଯେ ପରିହାସ
କିଏ କହି ପାରେ ତାହାରି ପାଖରେ
କାମ ନ ହୋଇବ ଶେଷ ।
ପରସ୍ପର ସହଯୋଗେ ଏ ଦୁନିଆ
ହସି ଉଠୁ ଥାଏ ସିନା
ପରିହାସ କରି ସମ୍ପର୍କ ଭାଙ୍ଗିଲେ
ହେବ ନିଶ୍ଚେ ବାଟ ବଣା ।
