ପରିଧାନ ହିଁ ପରିଚୟ
ପରିଧାନ ହିଁ ପରିଚୟ
ଜନୈକା ମହିଳା ପରିବା ନିମନ୍ତେ
ବାହାରିଲେ ବଜାରକୁ,
ଅଟୋ ଚାଳକ ଟେ ପଚାରୁଛି "ମାଆ"
ଅଟୋ ଲାଗିବ ଯିବାକୁ ।
ମନା କରିଦେଇ ମହିଳା ଜଣକ
ଚାଲିଲେ ଆଗକୁ ମାଡି଼,
ତହିଁ ପରଦିନ ଝିଅକୁ ତାଙ୍କର
ବିଦ୍ୟାଳୟେ ଗଲେ ଛାଡି଼।
ଲେଉଟି ଆସନ୍ତେ ସେହି ଅଟୋବାଲା
ପଚାରଇ ଝାଡି଼ ଗଳା,
ମର୍କତ ନଗର ଯିବକି "ଭଉଣୀ"
ମନାକଲେ ସେ ମହିଳା ।
ତୃତୀୟ ଦିବସେ ବାନ୍ଧବୀ ଘରକୁ
ବାହାରନ୍ତି ସିଏ ଯେବେ,
ପୂର୍ବ ଅଟୋବାଲା ପଚାରଇ ଆସି
"ମାଡାମ୍" କୁଆଡେ ଯିବେ ?
ବାନ୍ଧବୀ ଘରର ଠିକଣାଟି ଦେଇ
ଅଟୋରେ ବସିଲା ପରେ,
ପଚାରନ୍ତି ସିଏ ଅଟୋ ଚାଳକକୁ
କହିବକି ମୋତେ ଥରେ ।
ପ୍ରଥମ ଦିନରେ ଡାକିଥିଲ "ମାଆ"
"ଭଉଣୀ" ଦ୍ଵିତୀୟ ଦିନେ,
ଆଜି ପୁଣି ମୋତେ ଡାକିଲ "ମାଡାମ୍"
ସନ୍ଦେହ ଜାଗଇ ମନେ ।
କହେ ଅଟୋବାଲା ପ୍ରଥମ ଦେଖାରେ
ଶାଢ଼ୀ ତୁମେ ପିନ୍ଧିଥିଲ,
ଏଣୁ "ମାଆ" ବୋଲି ଡାକିଥିଲି ଯେଣୁ
ମାଆ ପରି ଦିଶୁଥିଲ ।
ଦ୍ବିତୀୟ ଦିନରେ ଶଲ୍ୱାର୍ କୁର୍ତ୍ତାରେ
ଲାଗିଲ "ଭଉଣୀ" ଭଳି,
ଜିନ୍ସ୍ ଟପ୍ ପିନ୍ଧା ଆଧୁନିକା ଆଜି
ଏଣୁ "ମାଡାମ୍" ଡାକିଲି ।
ଶାଳୀନତା ଭରା ପରିଧାନ ଦେଖି
ମନେ ଜାଗଇ ସମ୍ଭ୍ରମ,
ଅଶାଳୀନ ବେଶଭୂଷା ଯେ ନୁହଇ
ସୌନ୍ଦର୍ଯ୍ୟର ଅନୁକ୍ରମ ।
ଆଧୁନିକତା ର ନାଆଁରେ କଦର୍ଯ୍ୟ
ପୋଷାକ ଯେ ଅତିଶୟ,
କିଏବା ନଜାଣେ ଆଜିର ଯୁଗରେ
ପୋଷାକ ହିଁ ପରିଚୟ ।