ପରିଚୟ
ପରିଚୟ
ମାଟି ସଙ୍ଗେ ମୋର ସମ୍ପର୍କ ନିବିଡ଼
କ୍ଷତ୍ରିୟ ମୁଁ ଚଷାପୁଅ
ମାଟି ମୋ ଜୀବନ ଧରମ କରମ
ମାଟି ମୋର ପରିଚୟ ।
ମାଟି ସଂସାଧନ ମୁଖ୍ୟ ଘଟସୁତ୍ର
ମୂଳ ପଞ୍ଚ ମହାଭୂତ
ସଞ୍ଚରେ ଜୀବନ ସ୍ଥାବର ଜଙ୍ଗମ
ଉଦବର୍ତ୍ତେ ଜୀବ ଜଗତ ।
ମୁଁ ଆଦି ସେବକ ମାତା ପ୍ରକୃତିର
ଜାଣେ ନାହିଁ ଛନ୍ଦ ମାୟା
ମୁଁ ହସିଲେ ହସେ କାନ୍ଦିଲେ ସେ କାନ୍ଦେ
କୋଳ ତାର ଶେଷ ସାହା ।
ଜାଣେ ମାଟି ମାଆ ଆକାଶ ପବନ
ବଳିଦାନ ତ୍ୟାଗ ବ୍ୟଥା
ଝରେ ଶୁଭାଶୀଷ ହରେ କ୍ଷତ ଦୁଃଖ
ନିବାରିତ ହୁଏ କ୍ଷୁଧା ।
ନିଗିଡେ ମୋ ଦେହୁ ଲୁହଲହୁ ଝର
ରକ୍ତ ମୋ ବିଶୁଦ୍ଧ ପାଣି
ଦିଏ ମାଟି ମାଆ ସୁନାର ଫସଲ
ଶ୍ରମ ସେବା ମୂଲ୍ୟ ଜାଣି ।
ଘୂରେ କାଳଚକ୍ର ଅଖ ଚକ ରଥ
ଭଗ୍ନଶିଳା କୋଣାରକ
ଦୁଷ୍କର ବଞ୍ଚିବା କୁଳ ସସମ୍ମାନେ
କୃଷି ଐତିହ୍ୟ କୃଷକ ।
ସମତାଳେ ହେଉ କୃଷିର ଉନ୍ନତି
ଲାଭପ୍ରଦ ହେଉ ପେଷା
କୃଷି ଦେଶରକ୍ଷା ସେବା ପ୍ରାଥମିକ
ସୁବିଶ୍ୱସ୍ତେ ହେଉ ଶିକ୍ଷା ।
ମାଟିର ସୁଗନ୍ଧ ମହକିତ ହେଉ
ଅନ୍ନୁ ମିଳୁ ଜ୍ଞାନ ଦିବ୍ୟ
ମାଟିର ମଣିଷ ମିଶିବ ମାଟିରେ
ଛାଡ ସର୍ବେ ଅହଂ ଭାବ ।
