ପରିଚୟ ମାଗୁଛି ମାତୃଭାଷା
ପରିଚୟ ମାଗୁଛି ମାତୃଭାଷା
ପରିଚୟ ଆଜି ମାଗୁଅଛି ମାତୃଭାଷା
ଆହେ କବି ମାନେ ଶୁଣ
ପାଠକ ଲେଖକ ପାଖରୁ ଦୂରେଇ
ଯାଉଛି ଯାହା ଦିନକୁ ଦିନ ।
ଲାଗିରହେ ଯଦି ଏପରି ଅବସ୍ଥା ,
ପରିସ୍ଥିତି ଚିରଦିନ ସମାନ
ଲୋକ ମୁଖେ ସିନା କଥିତ ହୋଇଣ
ବଢେ ଭାଷାର ସମ୍ମାନ ।
ଇଂରାଜୀ ଯେ ଆଜି ବିସ୍ତାର କରିଛି
ସବୁଠି ନିଜ ପ୍ରାଧାନ୍ୟ
ଓଡିଆ ଭାଷାର ସୁମଧୁର ଭାବ
ତା' କବଳେ ପଡି ନ୍ୟୁନ ।
ହୋଇ ଚାଲିଅଛି ଏବେ ଦିନୁଦିନ
ସୁଚାରୁ ଭାବ‐ମାଧୁରୀ
ଇଂରାଜୀ କବଳେ ହ୍ରାସହୋଇ ଚାଲେ
ଆହ୍ଲାଦିନୀ‐ଚାରୁ ‐ଚାତୁରୀ ।
ଇଂରାଜୀ ପଠନେ ଇଂରାଜୀ ଲିଖନେ
ଛୋଟ ବଡ ସବୁକାମେ
ଆମେ ଓଡିଆଏ ଲାଗି ରହିଅଛେ
ଇଂରାଜୀ ପ୍ରୀତି ‐ଆହ୍ବାନେ ।
ଇଂରାଜୀ ମାଧ୍ୟମ ବିଦ୍ୟାଳୟେ
ପିଲା ପଢୁ ଛନ୍ତି ସର୍ବାଧିକ
ଓଡିଆ କଥନ, ପଠନ , ଲିଖନ
ପ୍ରୀତି କୁ ଆମର ଧିକ୍ ।
ଖାଣ୍ଟି ଓଡିଆ କହିଲେ ଚିଲ୍ଲାଇବେ
ଗଣ୍ତ ବୋଲି କହି ମୁହଁକୁ ମୋଡି
ଇଂରାଜୀ କହିଲେ ଆଦରରେ ଲୋକେ
ଆଶ୍ଳେଷିବେ କୋଳକରି ।
ଧନ୍ଯ ଆମର ମାତୃଭାଷା ପ୍ରତି ପୀରତି
ହୋଇଛି ଆଜି ଏପରି
ସୁପ୍ରାଚୀନତର ଓଡିଆ ଭାଷାର
ପରିଚୟ ନାହିଁ ଇଂରାଜୀ ପଢି ।
ହେବା ପାଇଁ ବଡ ଅଫିସର ନେତାସମାଜେ
ସୁନାମ ଯଶ ଓଖ୍ୟାତି
ପାଇଁକି ସକଳେ ଆଜି ଇଂରାଜୀ
ମୋହରେ ବାଇ ହୋଇଛନ୍ତି ।
ଚାରୁହାସମୟୀ ଚାରୁଭାଷମୟୀ ଥିଲା
ଯେ ପ୍ରାଚୀନ ମହାନ ଭାଷା
ଇଂରାଜୀ‐ଭାଷା କବଳେ ପଡିଯାଇ
ଆଜି ହୁଏ ନିତି ଲୋକହସା ।
ପରିଚୟ ମାଗେ ମାତୃଭାଷା ଆଜି
ଆମ ବଢାଇବା ୟାର ଯଶ
ଆଉ କେ ଭାଷାରେ ଅଛି ଏହା
ପରି ଅକାରାନ୍ତ ‐ଧ୍ବନି, ସୁ‐ସରସ ।
ସୁ‐ସାହିତ୍ୟ ଯହିଁ ଭୁରି ଭୁରି ଭରା
ମାନବୀୟ ଭାବ‐ସ୍ପନ୍ଦନ
ସକଳ ବିଷୟ ସୁଚାରୁ କୌଶଳେ
ପ୍ରକାଶନରେ ସକ୍ଷମ ।
ହେଲେବି ଇଂରାଜୀ ଭାଷାର ବାହୁଲ୍ୟ
ଲାଗି ରହିଛି ସବୁଠି
ବ୍ଯବହାର ହୁଏ ଇଂରାଜୀ ଭାଷାର
ପୋଥି ଠାରୁ ସବୁ ନଥି ।
ପରିଚୟ ମାଗେ ମାତୃଭାଷା ଆଜି
ହେବା ପାଇଁ ବ୍ଯବହାର
ପଢିବା ,କହିବା ,ଲେଖାବା କାମରେ
ଲଗାଇବା ନିରନ୍ତର ।
ଲୋକ ‐ସଂସ୍କୂତି ହିଁ ପରିଚୟ ଦିଏ
ଭାଷା ଓ ଭାବ‐ଭଣ୍ତାର
କବି ଲେଖନୀରେ ଋଦ୍ଧି ମନ୍ତ ହୁଏ
ନିସର୍ଗ ସୂଷ୍ଟି ‐ସଂଭାର‐ଭାର ।
ଅଧ୍ୟୟନ ଆଉ ଆଲୋଚନା ବଳେ
ସିନା ବଢେ ଭାଷାର ଗାରିମା
ଉତ୍ତରୋତ୍ତର ଯେ ଅଗ୍ରଗତି କରେ
ହେଲେ ଭାଷା ‐ଗବେଷଣା ।
