STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ପରିଚୟ ଦାତା

ପରିଚୟ ଦାତା

2 mins
7


ଝାଟିମାଟି ଘର ଭିତରୁ ବାହାରି

ସାହି ମଧ୍ୟେ ଚାଲି ଗଲେ

କିଛି ମନ୍ତବ୍ୟ ଶୁଭୁଥିଲା ପ୍ରାୟତଃ

ଏ ପିଲା ଟି ବୁଢ଼ା କାଳେ 

ସତ ଥିଲା କଥା, ବୁଢ଼ା କାଳେ ପିଲା

ବୁଢ଼ା ବୟସରେ ପିଲା

ସଂକ୍ଷେପରେ ଡାକ "ବୁଢ଼ା କାଳ ପିଲା"

ଭଲ ପିଲା, ବୁଢ଼ା ପିଲା


ବାପା,ବୁଢା ହେଲେ ବି ଥିଲେ କର୍ମଠ

ଚାଲୁ ଥିଲେ ଅଣ୍ଟା ନଇଁ 

ସବୁ କାମ ରେ ନିପୁଣତା ସହିତ

ସତ୍ୟ ପଥେ ଥିଲେ ରହି

କୌଳିକ ବୃତ୍ତିରେ ନିହାତି ନିପୁଣ

ହେଲେ, ମନ୍ଥର ଗତିରେ

ପ୍ରାୟ ସବୁ କାମ କରି ପାରୁ ଥିଲେ 

ଏକାକୀ ଓ ନିର୍ଭୟରେ

ସ୍ବଭାବତଃ ବାପା ଥିଲେ ଧର୍ମ ଭୀରୁ

ଦିଅଁ ବ୍ରାହ୍ମଣଙ୍କୁ ଭୟ

ବାର ମାସ ସାରା ତେର ଉପବାସ

ଥିଲା ତାଙ୍କ ପରିଚୟ

ବ୍ରାହ୍ମ ମୁହୂର୍ତ୍ତ ପୂର୍ବରୁ ଶଯ୍ୟା ତ୍ୟାଗ 

ପରେ ପ୍ରଭାତ ବନ୍ଦନା

ନିତିଦିନିଆ ବାସ୍ତବତା ସହିତ

ପ୍ରାୟ ପଡୋଶୀ ଙ୍କୁ ଜଣା

ପାଖ ଲୋକଙ୍କ ସହିତ କମ୍ କଥା 

କେବଳ ଜରୁରୀ ବେଳେ

ପୁରାଣ ପୋଥି ସହିତ ବେଶି କଥା

ଶ୍ରଦ୍ଧା ସହ କୁତୁହଳେ 

ଦାଣ୍ଡ ବାରଣ୍ଡା ଅବା ଚଉରା ମୂଳେ 

ହୁଏ ପୁରାଣ ପଠନ 

ଶୁଣିବା ଲୋକ ବି ଜାଣି ପାରୁଥିଲେ

ବୁଝି ଶୁଦ୍ଧ ଉଚ୍ଚାରଣ

ବୁଝିବା ଅବା ନ ବୁଝିବା ବ୍ୟାପାର

ଯେବେ ଶ୍ରୋତା ଚାହିଁ ଥାଏ

ନିଜ ଶାସ୍ତ୍ର ଜ୍ଞାନ ଶକ୍ତି ଆଧାରରେ 

ସରଳ ବ୍ୟାଖ୍ୟା ବି ହୁଏ

ବାପାଙ୍କର ସମ ସାମୟିକ ବନ୍ଧୁ

ଖୁବ୍ କରୁ ଥିଲେ ଭକ୍ତି

ସଂଧ୍ୟା ହେଲେ ନିକଟେ ରୁଣ୍ଡ ହୁଅନ୍ତି

ସନ୍ଧ୍ୟା ପ୍ରାର୍ଥନା ସମ୍ପ୍ରତି

ପୁରାଣ ପଠନ ଭଜନ କୀର୍ତ୍ତନ

ଖଞ୍ଜଣି ମାଡ ସହିତ 

ଚିଲିମ ରୁ ଧୂଆଁ ବି ବାହାରି ଥାଏ

ହୁଏ ଭକ୍ତିର ପଙ୍ଗତ 

ଆସର ଜମେ ପ୍ରାୟତଃ ପ୍ରତିଦିନ

ପଢା ହୁଏ ଭାଗବତ

ପଢ଼ିବା ଶିଖିବା ପରେ ଏ ଅଧମ

ପଢ଼ି ଅଛି କଥାମୃତ 


ପ୍ରତି ମାସରେ ହୁଏ ତ୍ରିନାଥ ମେଳା

ପୂର୍ଣ୍ଣମୀରେ ଉପବାସ 

ମନ୍ଦିର ଦର୍ଶନ ପ୍ରସାଦ ସେବନ

ଭକ୍ତି ମନରେ ସନ୍ତୋଷ 

ମାଘ ମାସେ ହୁଏ ଶନିଶ୍ଚର ମେଳା

ସାଧୁ ସନ୍ଥ ପ୍ରେମ ଭକ୍ତି

ପବିତ୍ରତା ର ଧାରା ସହ ଜୀବନ

ଶ୍ରଦ୍ଧା ପରିବାର ପ୍ରତି

ବାପାଙ୍କର ଗୃହସ୍ତି ଜୀବନ ପ୍ରତି

ଥିଲା ପ୍ରେମ ସ୍ନେହ ଭାବ

ଅଭାବ ଥାଇ ବି ସମ୍ପର୍କର ଭାବ

ପ୍ରାୟତଃ ଥିଲା ସମ୍ଭବ


ବାପାଙ୍କ ଆଖିରେ ଦେଖି ନାହିଁ ଲୁହ

ସବୁବେଳେ ନିର୍ବିକାର                   

ସତେ ଯେପରି ସ୍ଥିର ପାହାଡ ଟିଏ 

ଆକାଶ ପରି ଉଦାର 

ଉଚ୍ଚ ଆଶା ଅଭିଳାଷ ଉପଦେଶ

ପୁରାଣ ଉକ୍ତି ସହିତ

ପାଖରେ ବସେଇ ପୁରାଣ ପଢ଼ିବା

କଥା କହନ୍ତି ତ୍ୱରିତ

ହସ ସହ ହସ ଅନ୍ୟଥା ଗମ୍ଭୀର

ନିଜ କାମ ପ୍ରତି ଧ୍ୟାନ

ହୁଏ ନାହିଁ ସମୟ ର ଅପବ୍ୟୟ

କାମ ନ ଥିଲେ ପୁରାଣ


କାଳ କ୍ରମେ ବଦଳିଲା ଦୃଶ୍ୟ ସବୁ

କଥା ପଛରେ ରହିଲା

ନିଜକୁ ବଦଳାଇ ,ନୂଆ ରୂପରେ

ସ୍ବଭାବ ବି ବଦଳିଲା

ବୁଝିଲେ, ଶୁଣିଲେ, ଦେଖିଲେ ସବୁ

କହିବାକୁ ନାପସନ୍ଦ 

ନିରବ ଦର୍ଶକ ମାତ୍ର,ସବୁ ସହ୍ୟ

ଭାବ ହେଲା ନିରାନନ୍ଦ

ପକ୍ବ କେଶ, ଶିଥିଳତା ଚର୍ମ ସହ

ବାପା,ଶେଷ ପାହାଚରେ 

ଜରାଜୀର୍ଣ୍ଣ ଶରୀରରେ ଉଦାସିଆ

ଭାବ ମୁଖ ମଣ୍ଡଳରେ

ରାଗ ଅନୁରାଗ ବିନା ନିତ୍ଯ ଦିନ 

ପିଲାଳିଆମି ର ଭାବ

ପ୍ରାୟ ଗୁଣୁଗୁଣୁ, ମନେ ମନେ ହସ

ଭାବ ଭଙ୍ଗୀରେ ଅଜବ

ଭାବନା ର ଢେ଼ଉ ଅବା ସ୍ମୃତି ସହ

କେବେ କାନ୍ଦ କେବେ ହସ 

ଆଖି ସାମନାରେ ନାଚି ଉଠେ ଆଜି

ବାପାଙ୍କର ଶେଷ ବେଶ      


ସମ ସାମୟିକ ବନ୍ଧୁ ଦେଖାହେଲେ

ଆନନ୍ଦାଶ୍ରୁ ଝରି ପଡ଼େ                   

ନୟନ କୋଣରୁ ଲୁହ ପୋଛି ପୋଛି

କଥା ଆଗକୁ ହିଁ ବଢ଼େ

ପଚାରି ବୁଝନ୍ତି ବନ୍ଧୁଙ୍କ ଅବସ୍ଥା

ସୁଖ ଦୁଃଖ ଭଲମନ୍ଦ                   

କୁଶଳ ବାରତା ଶୁଣିଲେ ଖୁସିରେ

ମନରେ ଜାଗେ ଆନନ୍ଦ

ପଚାରି ଅତୀତ ର ହସ ଖୁସି କଥା 

ନିଜକୁ ଭାବୁକ ପରି

ଭାବନା ରେ କିଛି କ୍ଷଣ ହଜି ଯାଇ

ସତେ ଆନମନା ପରି


ସେ ପାରି ରୁ ଡାକ ଆସିବା ଆଗରୁ

ବୋଧେ ଜାଣି ଯାଇଥିଲେ

ପରୋକ୍ଷରେ ହାବ ଭାବ ଜଣାଇଲା 

ଯେବେ ଆହାର ତ୍ୟାଗିଲେ 

ବିଦାୟ ବେଳରେ, ପରିବାର ବର୍ଗ

ସର୍ବେ ହେଲୁ ଏକତ୍ରିତ

"ବୁଢ଼ା କାଳ ପିଲା" ପଢ଼ି ଶୁଣେଇଲା

କଥାମୃତ ଭାଗବତ

ନିର୍ମାଲ୍ୟ ମୁଖରେ ଥାଇ ଆଖି ବୁଜି 

ଚିରନିଦ୍ରା ଅବସ୍ଥାରେ

ବୁଢ଼ା କାଳ ପିଲା ହେଲା ଏକୁଟିଆ

ଏତେ ବଡ ଦୁନିଆରେ


ଅଧୁରା ରହିଲା ବାପାଙ୍କ ସପନ

ଦେଖିବାକୁ ପିଲାଟିଏ

"ବୁଢ଼ା କାଳ ପିଲାର" ପିଲା ହେଇନି

ଆଶା ନିରାଶା ପରାୟେ 

"ବୁଢା କାଳ ପିଲାର" ପିଲା ବି ହେଲା

ସେଇ ବୁଢା ବୟସରେ

ହେଲା ,କିନ୍ତୁ ଡେରି ହୋଇଗଲା ପ୍ରାୟ

ବୁଢ଼ା ବାପା ସେ ପାରି ରେ

ଏଠି "ବୁଢ଼ା କାଳ ପିଲା" ଓ ତା ' ପିଲା

ସ୍ମୃତିରେ ଅଛନ୍ତି ବାପା

ଆଉ "ବୁଢ଼ା କାଳ ପିଲା" ବି ଏବେ ବୁଢ଼ା

ପିଲାକୁ ନୁହେଁ ଅଛପା

"ବୁଢ଼ା କାଳ ପିଲା" ଜାଣିଛି ନିହାତି

ତା' ପରି ତା' ପିଲା ବି 

'ବୁଢ଼ା କାଳ ପିଲା ' ବୋଧେ ଏକ ଧାରା

ଏୟା କହୁଛି କହିବି

ମୋ ପାଇଁ ବେଶି ଭଲ ଥିଲେ ମୋ ବାପା

ବାପା ବିନା ଅସହାୟ

ମୋ ବାପା ଅଟେ ମୋ ପରିଚୟ ଦାତା

ମୋର ଚିର ସ୍ମରଣୀୟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract