ପରିବାର
ପରିବାର
ପିତାମାତା ଭାଇଭଉଣୀ ସ୍ବାମୀସ୍ତ୍ରୀ
ପିଲାକବିିଲାଙ୍କୁ ନେଇ
ପରିବାରଟିଏ ଗଢି ଉଠିଥାଏ
ମୂଳପିଣ୍ଡଟିକୁ ନେଇ ।୧।
ଏକଅନ୍ନବର୍ତ୍ତୀ ସଭିଏଁ ରହନ୍ତି
ଚଳୁଥାନ୍ତି ମିଳିମିଶି ।
ଆନ ଦୁଃଖେ ଦୁଃଖୀ ସୁଖେ ହୋଇ ସୁଖୀ
ଲଭନ୍ତି ଅପାର ଖୁସି ।୨।
ବୈକୁଣ୍ଠ ସମାନ ହୋଇଥାଏ ସିନା
ସୁନ୍ଦର ସେ ପରିବାର ।
ପରସ୍ପର ସ୍ନେହ ପ୍ରେମ ପ୍ରୀତି ଯହିଁ
ରହିଥାଏ ନିରନ୍ତର ।୩।
ଅତିଥି ଦ୍ବିଜପୂଜନ ହୁଏ ନିତି
ହୁଅଇ ମିଷ୍ଟାନ୍ନ ଦାନ ।
ସାଧୁସଙ୍ଗ ହରିକଥା ପରିବାରେ
କରଇ ପ୍ରସନ୍ନ ମନ ।୪।
ଏକ ମନ ଏକ ପ୍ରାଣ ହୋଇ ସର୍ବେ
ଗୁରୁ ଗୁରୁଜନଙ୍କର ।
ସେବାରତ ରହି ଆଦର ସମ୍ମାନ
କରିଥାନ୍ତି ଅପରର ।୫।
ମୁଁ ଓ ମୋର ଭେଦଭାବ ତେଜି
ତ୍ଯାଗ କରି କ୍ଷୁଦ୍ର ସ୍ବାର୍ଥ ।
ଚଳିଲେ ସୁଦୃଢ ହୁଏ ପରିବାର
ହୁଅଇ ଆନନ୍ଦ ଜାତ ।୬।
ଆଜିର ଦୁନିଆ ନୂତନ ପୀଢିରେ
ପରିବାରର ଏ ସଂଜ୍ଞା ।
ଯାଇଛି ବଦଳି ଏ ନୂତନ ପୀଢି
କରନ୍ତି ସବୁ ଅବଜ୍ଞା ।୭।
ଏମାନଙ୍କ ପାଇଁ ପରିବାର ହେଲା
ନିଜେ ଆଉ ପିଲାମାନେ ।
ଅବାଟରେ ଯାଇ ସ୍ୱାର୍ଥପର ହୋଇ
ଅଜ୍ଞାନ ହେଲେ ଏମାନେ ।୮।
ମୂଳ ମେଢି ତାଙ୍କ ସ୍ବପରିବାରର
ପିତାମାତାଙ୍କୁ ଭୁଲିଲେ ।
ଘରୁ ବିଦାକରି ବୃଦ୍ଧାଶ୍ରମେ ନେଇ
ପିତାମାତାଙ୍କୁ ରଖିଲେ ।୯।
ପରିବାର ଆଜି ଖଣ୍ଡ ବିଖଣ୍ଡିତ
ସ୍ବାର୍ଥ ହୋଇଅଛି ମୂଳ ।
ଭାବିଲେ ସେକଥା ଲଜ୍ଜା ଆସେ ମନେ
କି ଥିଲା କି ହେଲା କାଳ ।୧୦।
