STORYMIRROR

SARATA KUMAR DAS

Classics

3  

SARATA KUMAR DAS

Classics

ପ୍ରେମଶୀଳା ରାଧିକା

ପ୍ରେମଶୀଳା ରାଧିକା

1 min
13.4K



କୋହର ସାଗରେ ଭାସନ୍ତି ରାଧିକେ

ହୃଦୟ ହୁଏ ଅଧୀର

କହ୍ନେଇ ପ୍ରେମରେ ଜଳନ୍ତି ସେ ରାଇ

ସପନେ ନିତି ବିଭୋର ।।


କାହ୍ନା ମନ ଜିଣା ନୁପୂର ବାଜଣା

ଶୁଭୁନାହିଁ ଘନ ଘନ

ହତଶୀରି ଲାଗେ ଏ ଗୋପ ନଗର

କେଣେ ଗଲେ ଘନଶ୍ୟାମ ।।


ଝୁରେ ଗୋପପୁର ଝୁରେ ଗୋପାଙ୍ଗନା

ଝୁରନ୍ତି ଗୋପାଳ ପିଲା

ଝୁରେ ଗୋରୁଗୋଠ ଝୁରେ ବଣ ପାଟ

କପଟୀ ସେ ନନ୍ଦ ଲାଲା ।।


କାହ୍ନା ର ବାଟକୁ ଚାହଁ ବସିଥାନ୍ତି

ପ୍ରେମଶୀଳା ରାଧା ମାଇଁ

ଯେତେ ଅପବାଦ ଯେତେକ କଷଣ

ମଥାପାତି ସହି ନେଇ ।।


ହେ ନଟ ନାଗର ପ୍ରେମିକ ପ୍ରବର

କେତେ ହିନିମାନ କଲ

ଯେତେ ଅପମାନ ଲୋକଲଜ୍ଜ୍ୟା ଦେଇ

ସବୁ ଯଶ ନିଜେ ନେଲ ।।


କପଟୀ କହ୍ନେଇ ମୁରୁକି ହସନ୍ତି

କହନ୍ତି ସଧୀରେ ବାଣୀ

ଦେହର ଛାଇକି ଅଲଗା ହୁଅଇ

ବଂଚିଥିବା ଯାଏ ପ୍ରାଣୀ ?


ଭୁଲିକି ପାରିବି ଯେତେ ଦୂରେ ଥିଲେ

ଏକ ଦୁଇମନ ପ୍ରାଣ

ଦୁଇଟି ଶରୀର ଆତ୍ମା ତ ଗୋଟିଏ

ସାକ୍ଷୀ ଆଛି କୁଂଜବନ ।।


କଦମ୍ବ ବନରେ ଯମୁନା କୂଳରେ

ଦେଖେ ତୁମ ପାଦ ଚିହ୍ନ

ଶୁଣିକି ପାରୁନ ନିତି ବିଜନରେ

ମୋ ବଁଶୀର ମଧୁ ସ୍ବନ !!


ଯମୁନା ଜଳରେ ତୁମ ମୁହଁ ଦେଖେ

ମୂର୍ଚ୍ଛନା ରେ ତୁମ ସ୍ବର

ଚତୁର୍ଦିଗ ଲାଗେ ମୋତେ ରାଧାମୟ

ହୁଅନି ସକ୍ଷୀ ଅଧୀର ।।


କାହ୍ନା ବିନା ରାଧା , ରାଧା ବିନା କାହ୍ନା

ଯେହ୍ନେ ଜଳ ବିନା ଝସ

ରାଧା-କୃଷ୍ଣ ପ୍ରେମ ଶାଶ୍ବତ ଅମର

ଜଗତେ ଯାହା ବିଶ୍ବାସ ।।

****

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ , କେନ୍ଦୁଝର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics