STORYMIRROR

Prafulla Chandra Mishra

Romance

4  

Prafulla Chandra Mishra

Romance

ପ୍ରେମରେ କଳଙ୍କ

ପ୍ରେମରେ କଳଙ୍କ

1 min
321


ପ୍ରେମ ଫୁଲ ଫୁଟେ ନନ୍ଦନ ବନରେ

ପ୍ରେମର ମଳୟ ଝରେ

ପ୍ରେମରେ ଅମୃତ ଝରେ ହୃଦୟରେ

ସଂସାର ଜଞ୍ଜାଳ ଜଳେ ।।

ପ୍ରେମରେ ଭକତି ପ୍ରେମରେ ଶକତି

ବାତ୍ସଲ୍ୟ ସ୍ନେହରେ ପ୍ରେମ 

ପ୍ରେମେ ମୁଗ୍ଧ ହୋଇ ସୃଷ୍ଟି କଲେ ପ୍ରଭୁ 

ଏହି ବିଶ୍ଵ ଧରାଧାମ ।‌।

ଶାଶ୍ଵତ ପ୍ରେମରେ ଅମୃତ ପ୍ଳାବିତ

ହେଉଥାଏ ନିରନ୍ତର

ସ୍ଵର୍ଗୀୟ ସେ ପ୍ରେମ ଚିର ଶାଶ୍ଵତ

ନାହିଁ ତାର ପଟାନ୍ତର ।।


ନିଷ୍କଳଙ୍କ ପ୍ରେମ ମାର୍ତ୍ତଣ୍ଡ ରଶ୍ମୀ ଯେ

ପଦ୍ମିନୀ ହୁଏ ପାଗଳି

ଶଶାଙ୍କ ଶୀତଳ କୌମୁଦୀ ପରଶେ

କୁମୁଦିନୀ ଉଠେ ଝଳି ।।

ମଧୂ ସଉରଭ ଫୁଲର ପ୍ରେମରେ

ପ୍ରମତ୍ତ ହୁଏ ଭ୍ରମର 

ପରାଗ ସଂଗମ କରେ ରେଣୁ ଝାଡି

କରି ଗୁଣୁଗୁଣୁ ସ୍ଵର ।।

ନିଷ୍କଳଙ୍କ ପ୍ରେମ କେଦାର ଗଉରୀ

ମୂଦିର ରଙ୍ଗେ ମୟୂର

ଉଲ୍ଲାସେ ନାଚଇ ଚନ୍ଦ୍ରିକା ତୋଳି

ପ୍ରେମରେ ହୋଇ ଅଧୀର ।। 


ସ୍ଵାର୍ଥ ନିହିତ ଯେ ଦେହଜ ପ୍ରେମକୁ

ଶଠ ନାୟକ ବୈଭବ

ଉପଭୋଗ ପାଇଁ ଆପଣେଇ ନିଏ

ଦେଖାଇ ମିଛର ଲୋଭ ।।

ପ୍ରେମ ଏଠି କାମ ନାମେ ଅଭିହିତ

ନାହିଁ ଏଠି ପବିତ୍ରତା

ପ୍ରଲୋଭିତ କରେ ନୀରିହ ଜୀବନ

କହିଣ ଅନେକ ମିଥ୍ୟା ।।

ବିଶ୍ଵାସରେ ବିଷ ପିଆଲା ଅମୃତ

କହି ସେ ଜୀବନ ନିଏ

ବିଶ୍ଵାସୀ ଜନର ମନରେ ପ୍ରେମର

କଳଙ୍କ ସେ ବୋଳି ଦିଏ ।।


ଉଛ୍ଛୃଖଂଳ ଆଜି ସମାଜ ଭିତରେ

ପ୍ରେମକୁ ଆୟୁଧ କରି

ଅନେକ ଖେଟକ ବୁଲୁଛନ୍ତି ଫାନ୍ଦେ

ପଡଇ ନୀରିହ ନାରୀ ।।

ସାତ ସାଇତା ତା ସତୀତ୍ଵ କୁ ନେଇ

କଳଙ୍କ ଟିକା ପିନ୍ଧାଇ

ସମାଜରେ ଜଣେ ସଫଳ ନାୟକ

ସମ ସେ ବୋଲାଉ ଥାଇ ।।

ଅସତ୍ୟ ଅଧର୍ମ ସମ ଏହି ପ୍ରେମ

ନୁହଁଇ କେବେ ବିଦିତ

ହଜି ଯାଏ ସ୍ଵପ୍ନ କଳଙ୍କ କଳାରେ

ଜୀବନତା କଳଙ୍କିତ ।।


ପ୍ରେମ ନିଷ୍କଳଙ୍କ କହନ୍ତି ବିବୁଦ୍ଧେ

ସସ୍ର ଗୋପୀ ଦିବ୍ୟ ପ୍ରେମ

ସହସ୍ର ଶ୍ରୀକୃଷ୍ଣ ସଙ୍ଗେ କେଳୀ କଲେ

ସାକ୍ଷୀ ବୃନ୍ଦାବନ ବନ ।।

ପ୍ରେମରେ କଳଙ୍କ ଚିହ୍ନ ଯହିଁ ଥାଏ

ପ୍ରେମ ନୁହେଁ ତାହା କାମ

ଯହିଁରେ କଳଙ୍କ ଲାଗିବା ନିଶ୍ଚିତ

ବିଟପୀ ଶଠ ଙ୍କ ପ୍ରେମ ।।

କଳଙ୍କିତ ଏହି ପ୍ରେମେ ଛଟପଟ

ହୁଅଇ ନୀରିହ ଜନ

ଆଗରୁ ଜାଗ୍ରତ ରହିଲେ ଫୁଟିବ

ସୁଧା ସମାନ ସୁମନ ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance