ପ୍ରେମର ପୁଲକ-୩
ପ୍ରେମର ପୁଲକ-୩


ଏବେ ମଧ୍ୟ ଅବେଳ ବେଳାରେ
ମୃଦୁମନ୍ଦେ ଆସଇ ବସନ୍ତ;
ଆଗପରି ଚହଟୁନି ଫଗୁଣରେ ବାସ
ମିଠା ସେତେ ଲାଗୁନାହିଁ
କୁହୁକୁହୁ କୋକିଳର ସ୍ୱନ,
ବଜାରରେ ଉପଲବ୍ଧ ଯେତେ ସବୁ
ରଙ୍ଗ ଓ ଅବିର
ଖେଳିବାକୁ ଲାଗୁଛି ଡର ।
ଚାକ୍ୟଚକ୍ୟ ବାହ୍ୟେ ଦିଶେ
ବେଶଭୂଷା ଉଚ୍ଚ ଅଟ୍ଟାଳିକା,
ସୁପ୍ରଶସ୍ତ ରାସ୍ତାଘାଟ ଶୋଭା ପାଏ
ସମୁଜ୍ଜ୍ୱଳ ଆଲୋକମାଳାରେ,
ଆଲବମ୍ ଏବଂ ଚଳଚ୍ଚିତ୍ର ଦୃଶ୍ୟେ
ସବୁବେଳେ ପ୍ରେମ ଫ୍ରେମ ଦିଶେ,
ବିବାହ ଉତ୍ସବେ
ଜବରଦସ୍ତ ରୋଷଣୀ ଓ ଭୋଜିଭାତ,
ବସନ୍ତ ଆସୁ କି ଯାଉ ତର କାହିଁ
କିଏ ବା ପଚାରେ ?
ନିୟମିତ ନିୟନ୍ତ୍ରିତ ଲାଗୁନାହିଁ
ଆଜିକାଲି ବେଳକାଳ
ଋତୁ ମଧୁଚକ୍ର,
ଫିକା ଫିକା ସମ୍ବନ୍ଧ ସମ୍ପର୍କ,
କିନ୍ତୁ ଆଗକାଳ ଶ୍ରୀମତିଙ୍କ ମତି
ବ୍ୟତିକ୍ରମ ,
ସମ୍ଭବତଃ ଅଷ୍ଟମ ଆଶ୍ଚର୍ଯ୍ୟ,
ଅଗାଧୁଆ ମିଳିବନି
ଚାହା ଅବା କଫି
ଆଣ୍ଠୁ ଗଣ୍ଠି ଅଣ୍ଟା ବ୍ୟଥା ହେଲେ
ମଧ୍ୟ ଅସମ୍ଭାଳ
ବାରମାସେ ତେର ବ୍ରତ
ଉପବାସ ହୋଇବ ଅବଶ୍ୟ;
ବୟସର ଅପରାହ୍ନେ ମନେହୁଏ,
ଜୀଇବାର କଳା ଅଟେ ପ୍ରେମ
ଗଭୀର ଆତ୍ମବିଶ୍ବାସ
ସେବା ନିଷ୍ଠା ଆଉ ସୂଚିବୋଧେ
ସ୍ନେହ ଶ୍ରଦ୍ଧା ଅନ୍ତରାଳେ
ଝଲକେ ଅମୃତ,
ଏହି ବୋଧେ ପ୍ରେମର ପୁଲକ ।