ପ୍ରେମର ଅବିର
ପ୍ରେମର ଅବିର
ଶୀତ ଯେବେ ଆସେ
ପଉଷ ରାତିରେ
ଧରି ତାର ପରିବାର
ସନ୍ତୁଳନ ଘଟେ
ପୃଥିବୀ ମାତାର
ଝରେ ମୁକୁତାର ଝର ।
ଚଲାପଥ ଯେବେ
ଗ୍ଲାନି ଭରିଦିଏ
ଦେହ ମନ ଶରୀରରେ
ଓଡ଼ିଆ ସଂସ୍କୃତି
ପର୍ବର ପ୍ଲାବନେ
ଅମୃତର ବାରି ଢାଳେ ।
ଭାରାକ୍ରାନ୍ତ ମନ
ଖୋଜେ ମଧୁବନ
ମଧୁପର ଘୁଙ୍ଗୁରରେ
କେବେ ହସେ କେବେ
କାନ୍ଦେ ଆଢୁଆଳେ
ସ୍ମୃତିର ଚାଦର ତଳେ ।
ଶୁଭ୍ର ସକାଳର
କାକର ବିନ୍ଦୁରେ
ଯେବେ ନବ ବର୍ଷ ଆସେ
ସବୁରି ମନରେ
ନବ ଉଦ୍ଦୀପନା
ଭରିଦିଏ ରସେ ରସେ ।
ଅପସରି ଯାଏ
ଦୁଃଖ ଓ ଯାତନା
ନବ କିରଣ ଆବେଗେ
ନାଚି ନାଚି ଯାଏ
ମନର ଜୋଛନା
ଆଶାର ମିନାର ସାଙ୍ଗେ ।
ଭୁଲିଯାଇ ସବୁ
ମାନ ଅଭିମାନ
ଚାଲିବା ପ୍ରୀତି ପଉଷେ
ମନେ ବୋଳିଦେଇ
ପ୍ରେମର ଅବିର
ବାସୁଥିବ ବିଭୁ ସ୍ପର୍ଶେ ।