ପ୍ରେମୋଦୟ ଚମ୍ପୂ (ଲ)
ପ୍ରେମୋଦୟ ଚମ୍ପୂ (ଲ)
ପ୍ରେମୋଦୟ ଚମ୍ପୂ
କବି ସୂର୍ଯ୍ୟ ବଳଦେବ ରଥ
(ଚୌପଦୀ ପ୍ରେମୋଦୟ )
(29)
ରାଧାଙ୍କ ପ୍ରତି ଶ୍ରୀକୃଷ୍ଣ
ରାଗ – ତୋଡି - ନିଃସାରୂ ତାଳ
ବନ୍ଧୁ ମୋ ହୃଦୟ ହାରା ବନ୍ଧୁକ ଚାରୁ ଅଧରା
ବିଅର୍ଥେ ନକର ମାନ -ବିକାଶୁ ଚନ୍ଦ୍ର ବଦନ (ଘୋଷା)
ହଇ ମଳୟାନିଳ -- ବିରହୀ - ହୃଦ ଆକୁଳ
କରନ୍ତି ଅତି କୋମଳ- କୋକିଳ କୁଳ
କିରଣରେ ଧରାତଳ - କରି କେଡେ ସୁମଞ୍ଜୁଳ
ଗଗନେ ହୋଇ ନିର୍ମଳ - ଉଦୟ ଚନ୍ଦ୍ରମଣ୍ଡଳ (1)
ବନଜମୟନେ ବନ - ରଖି ରମଣୀ ରତନ
କରପଲ୍ଲବେ ବଦନ - କମଳ କରି ଧିଆନ
ନକହୁ ମତେ ବଚନ - ଅଧର ସ୍ମିତ ବିହୀନ
ଆଜ ତ ଏଡେ ବିମନ - କିମ୍ପା ରେ ଜୀବ ଜୀବନ (2)
ବନ୍ଧୁ, ତୋ ଗୁମାନ ଆଜି- ଦେଖି ଧନୂର୍ଗୁଣ ମାଜି
ମରମକୁ ଖୋଜି ଖୋଜି - ବିନ୍ଧେ ସ୍ମର ଶରରାଜି
ମୋ ହୃଦରେ ଆଣ୍ଟେ ବାଜି - ଯିବା ସକାଶରୁ ମଜି -
ଗଲାଣି ମୋ ଧୃତି ହଜି - ନୋହୁଛି ତୁ କିମ୍ପା ରାଜି (3)
ବଦନ ଚାରୁ ଅମ୍ବୁଜ - କର ତୁ ପ୍ରସନ୍ନ ଆଜ
ଦେଖି ପୂର୍ଣ୍ଣ ଦ୍ୱିଜରାଜ - ପାଉ ଅତିଶୟ ଲାଜ
ମୋଠାରୁ ଗୁମାନ ତେଜ- ଆଭରଣେ ତନୁସାଜ
ମୋର ଅଙ୍କରେ ବିରାଜ- ଭଣେ ବସୁଦୁର୍ଗ ରାଜ (4 )
