STORYMIRROR

Kulamani Sarangi

Classics

2.5  

Kulamani Sarangi

Classics

ପ୍ରେମମୟୀ ରାଧା

ପ୍ରେମମୟୀ ରାଧା

1 min
14.1K


ମଧୁପ ଗୁଞ୍ଜନେ ବିରକ୍ତେ ଅଞ୍ଚଳ

ମୁଖେ ଢାଙ୍କିବାରୁ ରାଧା,

ହସି କହେ ସଖୀ,"ସରୋଜିନୀ ମୁଖୀ

ଏକି ବାଧା,ଏକି ବାଧା !


ପଦ୍ମବନ ତେଜି ଅଳିଏ କରନ୍ତି

ତୋ ମୁଖ ପାଶେ ଗୁଞ୍ଜନ,

ସୁଧାମୟ,ମଧୁମୟ ଅଟେ ଯେଣୁ

ସଜନୀ ତୋର ଲପନ।


ମୁଖ ଚନ୍ଦ୍ର ତୋର ସ୍ୱଭାବେ ତ ତହିଁ

ସୁଧା ରହିଅଛି ଭରି,

ତୋର ଓଷ୍ଠମଧୁ ଚାଖିଛନ୍ତି ବୋଲି

ଡେଙ୍ଗୁରା ପିଟନ୍ତି ହରି।


ହସରୁ ତୋହର ଝରିପଡେ ସଖୀ

ଅମୃତର ସୁଧାକଣ,

ମୃଦୁ ଭାଷିଲେ ଯା ଝରିପଡେ ତାହା

ସୁଧା ନୁହେଁ ଆଉ କଣ?


ଏତେ ସୁଧା ଯହିଁ ଅଛି ସମାୟତ

ଅଳିଗଣ ତାକୁ ଛାଡି,

ନଯିବେ ନଯିବେ ସଜନୀ ସତେକି

ପାରିବୁ ତାଙ୍କୁ ଘଉଡି !


ଛାଡିଦିଅ ସଖୀ ଭ୍ରମରେ କରନ୍ତୁ

ଆନନ୍ଦେ ଅମୃତ ପାନ,

ଅସରନ୍ତି ତୋର ସୁଧାର ଭଣ୍ଡାର

ହୋଇଯିବନାହିଁ କ୍ଷୀଣ।


ଏ ଭ୍ରମରେ ତୋତେ ଭ୍ରମରେ କି ସତେ

ଦଂଶନ କରିବେ ଗୋରୀ?

ଶୁଣିଛୁ କି କେଉଁ ଭ୍ରମର ଦଂଶନେ

ପୁଷ୍ପ ଯାଇଅଛି ମରି ?


ଭ୍ରମର ଯେ କାମୀ ଫୁଲରେଣୁ ଚୁମି

ଉଡିଯିବା କାମ ତାର,

କିନ୍ତୁ ତୋ କାନୀରେ ବେଣୁପାଣୀ ବାନ୍ଧି

ରଖିବା କାମ ତୋହର।


ପ୍ରିୟସଖୀ ମଣି ଗୁପତରେ ପୁଣି

କହୁଛି ଗୋ ରାଧାରାଣୀ

କାହ୍ନାର ପ୍ରିତିରେ କେତେ ଗୋପବାଳା

ଜୀବନ ସମର୍ପିଲେଣି।


ତୁ ଯାହାକୁ ଭାବୁ ଏକା ତୋର ବୋଲି

ସେ'ତ ଗୋପୀ ପ୍ରେମଧନ,

କୁଞ୍ଜରୁ କୁଞ୍ଜକୁ ଉଡି ଉଡି ସବୁ

ଫୁଲକୁ ଦିଏ ଚୁମ୍ବନ।


ବୃଷଭାନୁ ଯେମା ସହଜେ କୋମଳ

ସରଳ ମନ ତୋହର,

ଫୁଲଛାଡି ଅଳି ଉଡିଯିବ ବାଳୀ

ବେଳୁଁ ପ୍ରତିକାର କର।


--------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics