ପ୍ରେମମୂର୍ତ୍ତି ଜୟଜୟ
ପ୍ରେମମୂର୍ତ୍ତି ଜୟଜୟ
ସତୁରୀ ଉପରେ ହୋଇବ ବୟସ
ସାଆନ୍ତ ପିତିଆ ବୁଢ଼ା
ଚାଲେ ଠୁକୁଠୁକୁ ଧରି ଆଶାବାଡି
ବାଙ୍କିଯାଏ ଅଣ୍ଟା ଅଧା ।
ଖଣ୍ଡେ ଦୂର ଯାଇ କିଣିଲା ମିଠେଇ
କଦଳୀ ନଡ଼ିଆ ଛେନା
ଘରକୁ ଆସିକି କହିଲା ବୁଢ଼ୀକୁ
ଚାଲ ମନ୍ଦିରକୁ ଯିବା ।
ସଜ କରିଦିଅ ଧୂପ ଭୋଗରାଗ
ନୈବେଦ୍ୟ ଅର୍ଘ୍ୟଥାଳୀ
ଆଜିପରା ଆମ ବିବାହ ବାର୍ଷିକୀ
ଯାଉଛି ପଚାଶ ପୂରି ।
ଗାଧୋଇ ପାଧେଇ ପାଇକଛା ମାରି
ଜେଜେ ପିନ୍ଧି ନୂଆ ଧୋତି
ନାଲିଆ ଗାମୁଛା କାନ୍ଧରେ ପକାଇ
ବସିଲା ଆସନ ପାତି ।
ବୁଢ଼ୀ ସଜହେଲା ନାଲି ଶାଢ଼ୀ ପିନ୍ଧି
ହାତରେ ଶଙ୍ଖା ଓ ଚୁଡି
ମଥାରେ ସିନ୍ଦୂର ଟୋପାଟି ତାହାର
ଦୂରୁ ହେଉଥିଲା ବାରି ।
ପୂଜାଥାଳୀ ଥୋଇ ବୁଢ଼ା ପାଦ ଛୁଇଁ
ବୁଢ଼ୀ କଲା ଦଣ୍ଡବତ
କହିଲା ତୁମେ ତ ମୋ ବଡ଼ଠାକୁର
ଜଗନ୍ନାଥ ପ୍ରାଣନାଥ ।
ହଉ ହଉ ହେଲା ଶୁଭ ଆଶୀର୍ବାଦ
ପତ୍ନୀ ରାଣୀ ଆଗେ ଚାଲ
ଦେଉଳକୁ ଯାଇ ମାରିବା ମୁଣ୍ଡିଆ
ମନାସିବା ସବୁ ଭଲ ।
ଆଗପଛ ହୋଇ ଯାଉଥିଲେ ଦୁହେଁ
ଜେଜେ ଆଉ ଜେଜେମାଆ
ଦେଖଣାହାରୀଏ ରହିଥିଲେ ଚାହିଁ
ଖୋଲାମେଲା ପାଟି ଆଆଁ ।
ଫୁଟୁଥିଲା ସତେ ପ୍ରଫୁଲ୍ଲ କମଳ
ପ୍ରତି ପଦକ୍ଷେପ ଚିହ୍ନେ
ଝରି ପଡୁଥିଲା ସତେକି ସୁମନ
ଆକାଶରୁ ଅନୁକ୍ଷଣେ ।
ହାରିଯାଏ ଯହିଁ ମରଣର ଭୟ
ଅଟକି ଯାଏ ସମୟ
ଉଜ୍ଜ୍ୱଳ ଆଦର୍ଶ ପ୍ରେମ ଚିରନ୍ତନ
ପ୍ରେମମୂର୍ତ୍ତି ଜୟଜୟ ।

