ପ୍ରେମୀ ପତଙ୍ଗ
ପ୍ରେମୀ ପତଙ୍ଗ
ପତଙ୍ଗ ଅଜ୍ଞାତ ଯୁଦ୍ଧ ବିଭୀଷିକା
ରଣାଙ୍ଗନ ବାସ୍ତବତା,
ଯନ୍ତ୍ରଣା ଜଞ୍ଜିରେ କବି କବଳିତ
କୃପାଣେ କଲମ ଚିନ୍ତା ।
ସୁରମ୍ୟ ପ୍ରାସାଦ ଶବ୍ଦ କଳେବର
ବାସ୍ତବ ପର୍ଣ୍ଣ କୁଟୀର,
ହେ ପତଙ୍ଗ ତୁମ ମଳୟ ସମୀର
ବାସ୍ତବେ ଶୁଷ୍କ କହର ।
ତୈଳହୀନ ଦୀପେ ଆଶା ଆଲୋକିତ
ବୃଥା ମରୁଭୂମି ଚାଷ,
ଜଳହୀନ କୁମ୍ଭ ଉଚ୍ଚାଟ ଉଦଘୋଷେ
ବିଭ୍ରାନ୍ତକ ଅଣଚାଷ ।
ପ୍ରୀତି ପରାଙ୍ଗମ ପୃଥକ ପ୍ରାଚୀର
ବାସ୍ତବତା ମେରୁଦଣ୍ଡ,
ଜୀବନ ପ୍ରଦୀପ ଦୀପ୍ତି ଅସମର୍ଥ
ଜୀବନର ମାନଦଣ୍ଡ ।
ପ୍ରେୟସୀ ପତଙ୍ଗ କର ହେ ପ୍ରସ୍ଥାନ
ସ୍ଥାନ ତୁମ ଉଦ୍ୟାନରେ,
ନିର୍ଦ୍ଦୟ ଅନଳ ଆବୃତ ଗରଳ
ପ୍ରୀତି ଥାଉ ଦୂରେ ଦୂରେ ।
