ପ୍ରେମଗୀତି
ପ୍ରେମଗୀତି
ଜାଣିଛି ଗୋ ବନ୍ଧୁ ଜାଣିଛି
ଆମେ ହଜିଯିବା କାଳ ସାଗରେ
ଧୋଇଦେବ ଢେଉ ପାଦଚିହ୍ନ ଆମ
ଆଉ ଫେରିବାନି ଏଇପଥରେ ।
ଆମେ ଛାଡିଯିବା ଆମ ପ୍ରେମଗୀତି
ବିରହ ମିଳନର ମଧୁଝର
କାଳ ଘୋଷୁଥିବ ଝାଉଁର ମର୍ମରେ
ଆମ ପ୍ରଣୟ ମାଧୁରୀ ସୁର ।
ନଥିବ ତ ତମେ ନଥିବି ଗୋ ମୁହିଁ
ଥିବ ଖାଲି ଆମ ସ୍ମୃତିରେ
ଜାଣିଛି ଗୋ ବନ୍ଧୁ ଜାଣିଛି
ଆମେ ହଜିଯିବା କାଳ ସାଗରେ ।
ଆସ ହେ ପ୍ରିୟ ଶୋଚନା କି ପାଇଁ
ଅଧୁରା ଚିବୁକ ମୋ ତୋଳିଧର
ଲୋଟିଯାଏ ମୁହିଁ ତମ ବକ୍ଷଦେଶେ
କାଳଗତି ହେଉ ଥିର ।
ପ୍ରେମ ମଦିରାରେ ମତୁଆଲା ଆମେ
ମାନିବାନି କା'ର ବାଧାରେ
ଜାଣିଛି ଗୋ ବନ୍ଧୁ ଜାଣିଛି
ଆମେ ହଜିଯିବା କାଳ ସାଗରେ ।