ପ୍ରେମାମୃତ
ପ୍ରେମାମୃତ
ପ୍ରେମରେ ପ୍ରେମରେ ସରେ ନାହିଁ କଥା
ପାହେ ନାହିଁ ଶୁଭ ରାତ୍ରୀ
ପ୍ରେମରେ ପ୍ରେମରେ ଚହଟଇ ମଲ୍ଲି
ମହକେ ଗଙ୍ଗଶିଉଳି ।
ଯୂଇଯାଈ ହେନା ରଜନୀଗନ୍ଧାର
ଭୁରୁଭୁରୁ ସୁଗନ୍ଧରେ
ରଜନୀ ସଜନୀ ଖୋଲଇ କବରୀ
କୃଷ୍ଣଚୂଡା ଦୋଳି ଖେଳେ ।
ବାଜେ ରୁଣୁଝୁଣୁ ପାଦର ପାଉଞ୍ଜି
ପ୍ରଖରେ ପ୍ରଶ୍ୱ।ସ ଶ୍ୱାସ
ଉଚ୍ଛସେ ଜୀବନ ଭେଦ ଓ ଅଭେଦ
କାୟାଛାୟା ରସରାସ ।
ପ୍ରେମରେ ପ୍ରେମରେ ବରଷଇ ସୁଧା
ସେନେହ ମମତା ପ୍ରେମ
ସୃଜେ ପ୍ରତିବିମ୍ବ ଆଖିରେ ଆଖିରେ
ବତୁରେ ସବୁଜ ସ୍ୱପ୍ନ ।
ପଲ୍ଲବେ ନୂତନ ଆଶା ଫଳ ପୁଷ୍ପ
ହୁଅଇ ଅଙ୍କୁରୋଦ୍ଗମ
ଉନ୍ମେଷେ ଜୀବନ ପ୍ରେମରେ ପ୍ରେମରେ
ଅମୃତ ପ୍ରେମ ମହାନ ।
ପ୍ରେମରେ ପ୍ରେମରେ ଚଉବର୍ଗ ପ୍ରାପ୍ତି
ଧର୍ମ ଅର୍ଥ କାମ ମୋକ୍ଷ
ପ୍ରେମ ମଧୁମୟ ଜୀବନ ସଙ୍ଗୀତ
ନନ୍ଦନର ପାରିଜାତ ।
ମହକୁ ଜୀବନ ପ୍ରେମ ସୁଧାମୃତେ
ପ୍ରାଣ ହେଉ ସୁଶୀତଳ
ବିକଶୁ କମଳ ଶାନ୍ତି ଶତଦଳ
ହୃଦପଦ୍ମ ସହସ୍ରାର ।
